ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବୁଧବାର ସଂଧ୍ୟା ୭ଟା ସମୟରେ ଆନ୍ଦୋଳନରତ କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ସରକାର କୃଷକ ନେତାଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନାରେ ସରକାରଙ୍କ ପକ୍ଷରୁ ୩ ଜଣ କେନ୍ଦ୍ର ମନ୍ତ୍ରୀ ସାମିଲ ହେବେ । ସେମାନେ ହେଉଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ ଓ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ।
ଏହା ପୂର୍ବରୁ କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଥିଲେ । ଏହା ପରେ ରାଜନାଥ ଏହି ପ୍ରସଙ୍ଗରେ ଅର୍ଜୁନଙ୍କୁ କିଛି ନିର୍ଦ୍ଦେଶ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ବୁଧବାର ମଧ୍ୟ ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ଏବେ ବି ପ୍ରବଳ ଉତ୍ତେଜନା ଲାଗି ରହିଥିଲା। ପୋଲିସ ବ୍ୟାରିକେଡ ନିକଟକୁ ଆସୁଥିବା ଆନ୍ଦୋଳନରତ କୃଷକମାନଙ୍କୁ ହଟାଇବା ପାଇଁ ଲୁହବୁହା ଗ୍ୟାସ ସେଲ ପ୍ରୟୋଗ କରିଥିଲା । ଯଦିଓ କୃଷକମାନେ କୌଣସି ପରିସ୍ଥିତିରେ ଦିଲ୍ଲୀ ଯିବାକୁ ଚାହୁଁଛନ୍ତି, ତେବେ ହରିୟାଣା ପୋଲିସ କୌଣସି ପରିସ୍ଥିତିରେ କୃଷକମାନଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ପ୍ରସ୍ତୁତ ରହିଛି ।