କୃଷିଋଣ ଛାଡ଼ କରିବ କେନ୍ଦ୍ର!

ବୈଠକରେ ୩ ଘଣ୍ଟା ଧରି ଆଲୋଚନା, ୨୦୧୯ ଉପରେ ନଜର

ନୂଆଦିଲ୍ଲୀ: ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାର ଚାଷୀମାନଙ୍କ ସ୍ବାର୍ଥ ପାଇଁ ବଡ଼ ଘୋଷଣା କରିପାରନ୍ତି। ସମ୍ଭବତଃ କୃଷିଋଣ ଛାଡ଼ ବାବଦରେ ଘୋଷଣା ହୋଇପାରେ ବୋଲି ଆଶାପ୍ରକାଶ ପାଇଛି। ସୂତ୍ର ମୁତାବକ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଗତକାଲି ସନ୍ଧ୍ୟାରେ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏଥିରେ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏବଂ କୃଷି ମନ୍ତ୍ରୀ ରାଧାମୋହନ ସିଂହ ଉପସ୍ଥିତ ଥିଲେ। ବୈଠକରେ କୃଷିମନ୍ତ୍ରୀ ଉପସ୍ଥିତ ଥିବାରୁ ଚାଷୀମାନଙ୍କ ପାଇଁ ‌ସରକାର ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଏ ବାବଦରେ ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ଖବର ମୁତାବକ ଜାନୁଆରି ୫ରେ ସଂସଦର ଶୀତ ଅଧିବେଶନ ସରିବା ପୂର୍ବରୁ କୃଷକମାନଙ୍କ ଲାଗି ଏକାଧିକ ନୂଆ ପଦକ୍ଷେପ ଘୋଷଣା କରାଯାଇପାରେ। ଏଥିପାଇଁ ଗତକାଲି ବୈଠକରେ ଆଲୋଚନା କରାଯାଇଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ କେନ୍ଦ୍ର ସରକାର କେବଳ କୃଷିଋଣ ଛାଡ଼ ଉପରେ ଧ୍ୟାନ ଦେବେନାହିଁ। କୃଷିଋଣ ଛାଡ଼ ବ୍ୟତୀତ ଆହୁରି ଅନେକ ଚାଷୀ କଲ୍ୟାଣକାରୀ ଯୋଜନା ହାତକୁ ନିଆଯିବ। ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ କୃଷିଜାତ ଉତ୍ପାଦ ବଜାରରେ ସଂସ୍କାର ଆଣିବା ଲାଗି ନୂଆ ପଦକ୍ଷେପ ନିଆଯାଇପାରେ। ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଯେମିତି ଉଚିତ ବଜାର ମୂଲ୍ୟ ପାଇବେ ତାହାକୁ ସୁନିଶ୍ଚିତ କରିବାକୁ ବଡ଼ ଧରଣର‌ ଯୋଜନା ହାତକୁ ନିଆଯିବ। କୁହାଯାଉଛି ଯେ ମଧ୍ୟ ପ୍ରଦେଶର ପୂର୍ବ ଶିବରାଜ ସିଂହ ଚୌହାନ୍‌ ସରକାରଙ୍କ ‘ଭାବାନ୍ତର (ଦର ପାର୍ଥକ୍ୟ) ସ୍କିମ୍‌’ରୁ ପ୍ରେରଣା ପାଇ ମୋଦୀ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ସ୍କିମ୍‌ରେ ଚାଷୀମାନେ ସେମାନଙ୍କ ଉତ୍ପାଦରେ ଯେଉଁ କ୍ଷତିର ସମ୍ମୁଖୀନ ହେଉଛନ୍ତି, ତାହାର (ଦର ପାର୍ଥକ୍ୟଜନିତ କ୍ଷତି) ଭରଣା କରିବା ଲାଗି ଆବଶ୍ୟକ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କକୁ ଯୋଗାଇ ଦିଆଯିବ। ଏହାବାଦ୍‌ କିଷାନ କ୍ରେଡିଟ୍‌ ସ୍କିମ୍‌ରେ ଋଣ ସୀମା ବୃଦ୍ଧି ପାଇଁ ମଧ୍ୟ ବିଚାର କରାଯାଉଛି। ଉଲ୍ଲେଖଯୋଗ୍ୟ, କିଛିମାସ ପୂର୍ବେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ମୋଦୀ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ ହିସାବରେ ସ୍ଥିର କରିଥିଲେ। ଚାଷୀଙ୍କ ପାଇଁ ମୋଦୀ ସରକାରଙ୍କର ଏହା ବଡ଼ ପଦକ୍ଷେପ ଥିଲା।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ନୂଆ କଂଗ୍ରେସ ସରକାର କୃଷିଋଣ ଛାଡ଼ କରିବା ପରେ ମୋଦୀ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ୧୦ ଦିନ ମଧ୍ୟରେ କୃଷିଋଣ ଛାଡ଼ ପାଇଁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ କଂଗ୍ରେସ ୨ ଦିନରେ ପୂରଣ କରିବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିଥିଲେ। ସାଢ଼େ ୪ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ବା‌ଧୀନ ସରକାର ଯାହା କରିପାରିନଥିଲେ, ତାହା କଂଗ୍ରେସ କରିଦେଖାଇଛି ବୋଲି ରାହୁଲ କହିଥିଲେ। ତେଣୁ ୨୦୧୯ ସାଧାରଣ ନିର୍ବ‌ାଚନ ପୂର୍ବରୁ ମୋଦୀ ସରକାର କୌଣସି ବିପଦ ମୁଣ୍ଡାଇବାକୁ ଚାହୁନାହାନ୍ତି। ଯାହା ହେଲେ ବି ଲୋକସଭା ନିର୍ବାଚନରେ ବିଜୟ ହାସଲ କରି ପୁଣି କ୍ଷମତାକୁ ଫେରିବା ପାଇଁ ସରକାର ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର