ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଜି ଇସ୍ତଫା ଦେବା ପୂର୍ବରୁ ଶିବସେନା ଉପରେ ବର୍ଷିଛନ୍ତି। ଶିବସେନା ବିଜେପି ସହ ମେଣ୍ଟରୁ ଫାଇଦା ଉଠାଇବା ପରେ ରାଜ୍ୟବାସୀଙ୍କୁ ଧୋକା ଦେଇଛି ବୋଲି ଫଡନାଭିସ କହିଛନ୍ତି। ବିଜେପି ନେତୃତ୍ବରେ ହିଁ ନିର୍ବାଚନ ଲଢ଼ା ଯାଇଥିଲା ଏବଂ ରାଜ୍ୟବାସୀ ଆମ ମେଣ୍ଟକୁ ସରକାର ଗଠନ ପାଇଁ ବିପୁଳ ସମର୍ଥନ ଦେଇଥିଲେ। କିନ୍ତୁ ଶିବସେନା ନିର୍ବାଚନ ପରିଣାମରୁ ଫାଇଦା ଉଠାଇ ଧମକ ଦେବା ଆରମ୍ଭ କରିଥିଲା ଏବଂ ଯେନତେନ ପ୍ରକାରେ ମୁଖ୍ୟମନ୍ତ୍ରୀ ପଦ ହାସଲ କରିବାକୁ କଂଗ୍ରେସ-ଏନ୍‌ସିପି ସହିତ ଆଲୋଚନା ଚଳାଇଥିଲା। ଏହାର ପରିଣାମ ସ୍ବରୂପ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଲା ଏବଂ ରାଷ୍ଟ୍ରପତି ଶାସନ ଜାରି କରାଗଲା ବୋଲି ଫଡନାଭିସ କହିଛନ୍ତି। ଶିବସେନାର ଏଭଳି ରାଜନୀତିକୁ ମହାରାଷ୍ଟ୍ରବାସୀ ବରଦାସ୍ତ କରିବେ ନାହିଁ ଏବଂ କଂଗ୍ରେସ-ଶିବସେନା-ଏନ୍‌ସିପିର ତିନି ଚକିଆ ସରକାର ରାଜ୍ୟରେ ବେଶୀ ଦିନ ତିଷ୍ଠିପାରିବ ନାହିଁ ବୋଲି ସେ କହିଛନ୍ତି। ଆମେ ଏହି ତିନି ଦଳିଆ ସରକାରକୁ କାମ କରିବା ଶିଖାଇବୁ ଏବଂ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ସଂଘର୍ଷ ଜାରି ରଖିବୁ ବୋଲି ଫଡନାଭିସ କହିଛନ୍ତି।

Advertisment