ସରକାର କଶ୍ମୀରୀଙ୍କ ହୃଦୟ ନଜିତିବା ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣ ଜାରି ରହିବ: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ପୂର୍ବ ତୁଳନାରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କମ ହୋଇଥିଲେ ବି ଏହା ସମ୍ପୂର୍ଣ୍ଣ ଭାବେ କେବେ ଶେଷ ହେବ ତାହା କେହି ଜାଣିନାହାନ୍ତି। କଶ୍ମୀରରେ ଏବେ ପ୍ରତିଦିନ ଆତଙ୍କବାଦୀ ଆକ୍ରମଣର ଖବର ସାମ୍ନାକୁ ଆସୁଛି। ଏହି ମଧ୍ୟରେ ଏହି ଆକ୍ରମଣକୁ ବିରୋଧ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା।

ସେ କହିଛନ୍ତି ଯେ, ସରକାର କଶ୍ମୀରରେ ଲୋକଙ୍କ ହୃଦୟ ନଜିତିବା ପର୍ଯ୍ୟନ୍ତ ଏବଂ ଏହାର ସମାଧାନ ପାଇଁ ପାକିସ୍ତାନ ସହ କଥାବାର୍ତ୍ତା ନହେବା ପର୍ଯ୍ୟନ୍ତ କଶ୍ମୀରରେ ଆତଙ୍କବାଦ ଶେଷ ହେବ ନାହିଁ। ମଙ୍ଗଳବାର ସହରରେ ଆତଙ୍କବାଦୀଙ୍କ ଦ୍ୱାରା ଜଣେ ପୁଲିସ ଅଧିକାରୀଙ୍କ ହତ୍ୟାକୁ ନିନ୍ଦା କରି ସେ କହିଛନ୍ତି ଯେ, କଶ୍ମୀର ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଲୋକମାନେ ଏମିତି ମରୁଥିବେ। ଆତଙ୍କବାଦୀ କାର୍ଯ୍ୟକଳାପ ଶେଷ ହେବ ନାହିଁ। ବିଜେପି ମନ୍ତ୍ରୀ ତଥା ଅନ୍ୟ ନେତାମାନେ ବିବୃତି ଦେଉଛନ୍ତି ଯେ କଶ୍ମୀରରେ ଆତଙ୍କବାଦ ସମାପ୍ତ ହୋଇଛି। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଆପଣ କଶ୍ମୀର ଏବଂ ଆମ ପଡୋଶୀ ଦେଶ ପାକିସ୍ତାନବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା ନକଲେ ଏହା ଶେଷ ହେବ ନାହିଁ। ତାଙ୍କ ସହ କଥାବାର୍ତ୍ତା କରି ସମାଧାନର ରାସ୍ତା ଖୋଜନ୍ତୁ।

ଶ୍ରୀନଗରର ଲୋକସଭା ସାଂସଦ ଅବଦୁଲ୍ଲା ସହରର ଲାଲ ବଜାର ଅଞ୍ଚଳରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ମୁଶତାକ୍ ଅହମ୍ମଦଙ୍କ ହତ୍ୟାକୁ ନିନ୍ଦା କରି ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ହତ୍ୟାକାରୀ କିଏ ଏବଂ ଏଠାରେ ଥିବା ଲୋକମାନଙ୍କର ତ୍ରାଣକର୍ତ୍ତା କିଏ ତାହା ଆମେ ଜାଣି ନାହୁଁ। ଆମେ ସମସ୍ତେ ଏହାକୁ ନିନ୍ଦା କରିବା ଏବଂ ଏହି ଦୁଃଖ ସମୟରେ ମୃତକଙ୍କ ପରିବାର ପାଇଁ ପ୍ରାର୍ଥନା କରିବା ବୋଲି କହି ସହିଦ ପୁଲିସ ଅଧିକାରୀଙ୍କ ପରିବାର ପାଇଁ ପ୍ରଶାସନ ତରଫରୁ କ୍ଷତିପୂରଣ ଦାବି କରିଛନ୍ତ ଅବଦୁଲ୍ଲା।

ସମ୍ବନ୍ଧିତ ଖବର