ନୂଆଦିଲ୍ଲୀ: ଖାଦ୍ୟ ଫସଲ ଏବଂ ଖାଦ୍ୟ ସାମଗ୍ରୀ ଉପରେ କୀଟନାଶକ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥର ବ୍ୟବହାରକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଫସାଇ)କୁ ଜବାବ୍ ତଲବ୍ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଡି.ୱାଇଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ବେଞ୍ଚ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କୃଷି ମନ୍ତ୍ରଣାଳୟ ଏବଂ ଫାସାଇକୁ ଜବାବ୍ ତଲବ୍ କରିଛନ୍ତି।
ପରିବେଶବିତ୍ ତଥା ଓକିଲ ଆକାଶ ବଶିଷ୍ଠଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରି କହିଛନ୍ତି ଯେ କୀଟନାଶକଯୁକ୍ତ ଖାଦ୍ୟ ଖାଇବା ସମଗ୍ର ଦେଶରେ କର୍କଟ ଏବଂ ଅନ୍ୟାନ୍ୟ ମାରାତ୍ମକ ରୋଗର ମୂଳ କାରଣ ପାଲଟିଛି।
ଆବେଦନରେ ଦର୍ଶାଯାଇଥିଲା ଖାଦ୍ୟ ଫସଲ ଏବଂ ଖାଦ୍ୟ ସାମଗ୍ରୀ ଉପରେ କୀଟନାଶକ ଏବଂ ଅନ୍ୟାନ୍ୟ ରାସାୟନିକ କୀଟନାଶକ ବ୍ୟବହାର / ଅତ୍ୟଧିକ ବ୍ୟବହାର, କୃତ୍ରିମ ରଙ୍ଗ, ଡାଲି, ଖାଦ୍ୟ ଶସ୍ୟ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ଆବରଣ ତଥା ୱାକ୍ସିଂ କରିବା ଦ୍ୱାରା ଦେଶରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି।
ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ଅନୀତା ଶେନୋୟ ଶୀର୍ଷ କୋର୍ଟଙ୍କୁ କହିଛନ୍ତି ଯେ ଆବେଦନକାରୀ ଦେଶର ବିଭିନ୍ନ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରିଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି କୀଟନାଶକ ଯୋଗୁଁ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି।
ସେ କହିଛନ୍ତି,କୀଟନାଶକର ବ୍ୟବହାରକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ଓ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ଫାସାଇ ସମ୍ପୂର୍ଣ୍ଣ ବିଫଳ ହୋଇଛି। କୀଟନାଶକ ଏବଂ କର୍କଟ ମଧ୍ୟରେ ସିଧାସଳଖ ବୈଜ୍ଞାନିକ ସଂଯୋଗ ରହିଛି ଏବଂ ଦେଶରେ ଏଭଳି ମାମଲା ବଢୁଛି ବୋଲି ଶେନୋୟ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି।