ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିକଟ ନ ମିଳିବାର ବେଶ୍ କିଛିଦିନ ପରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଗୁଜରାଟର ଗାନ୍ଧୀ ନଗର ଆସନରୁ ଆଡ଼ଭାନୀ ଏବେ ସାଂସଦ ଅଛନ୍ତି। କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରା ନଯାଇ ତାଙ୍କ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ପ୍ରାର୍ଥୀ ହୋଇଛନ୍ତି। ତେବେ ଦଳ ବିରୋଧରେ ସେ ତାଙ୍କ ଅସନ୍ତୋଷକୁ ନିଜର ଅଗ୍ନିବର୍ଷୀ ଭାଷଣ ମାଧ୍ୟମରେ ବ୍ୟକ୍ତ ନକରି ଏକ ବ୍ଲଗରେ କଡ଼ା ଶବ୍ଦରେ ପରିପ୍ରକାଶ କରିଛନ୍ତି। ୫୦୯ ଶବ୍ଦ ବିଶିଷ୍ଟ ଏହି ବ୍ଲଗର ଶୀର୍ଷକ ରହିଛି, ‘ନେସନ ଫାଷ୍ଟ୍, ପାର୍ଟି ନେକ୍ସଟ୍, ସେଲ୍ଫ ଲାଷ୍ଟ୍’। ଅର୍ଥାତ୍ ଦେଶ ପ୍ରଥମ, ତାହା ପରେ ଦଳ ଏବଂ ଶେଷରେ ନିଜେ।
ଏହି ବ୍ଲଗଟି ସେ ବିଜେପିର କର୍ମୀମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଦଳର ପ୍ରତିଷ୍ଠା ଦିବସ ଆସନ୍ତା ୬ ତାରିଖରେ ପାଳନ ହେବାକୁ ଥିବାବେଳେ ଏହାର ଦୁଇଦିନ ପୂର୍ବରୁ ସେ ଏହି ଲେଖା ଲେଖିଛନ୍ତି। ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଆଡ଼ଭାନୀ ଲେଖିଛନ୍ତି, ଅତୀତକୁ, ଭବିଷ୍ୟତକୁ ଏବଂ ଅନ୍ତର ଭିତରକୁ ଏହା ଦେଖିବାର ଏକ ଉପଯୁକ୍ତ ଉତ୍ସବ। ବିଜେପିରେ ଜଣେ ପ୍ରତିଷ୍ଠାତା ଭାବରେ ଭାରତର ଲୋକଙ୍କ ସହିତ ଏବଂ ବିଶେଷଭାବେ ଦଳର ନିୟୁତ ନିୟୁତ କର୍ମୀ, ଯେଉଁମାନଙ୍କ ଶ୍ରଦ୍ଧା ଏବଂ ସମ୍ମାନ ନିକଟରେ ସେ ଋଣୀ, ସେମାନଙ୍କ ନିକଟରେ ସେ ନିଜ ମନର ଭାବନା ବ୍ୟକ୍ତ କରିବାକୁ ଏକ ଦାୟିତ୍ବ ବୋଲି ମନେ କରି ଏହି ଲେଖା ଲେଖିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ତାଙ୍କ ଜୀବନରେ ପଥ ପ୍ରଦର୍ଶନର ସିଦ୍ଧାନ୍ତ ହେଲା ଦେଶ ପ୍ରଥମ, ତାହା ପରେ ଦଳ ଏବଂ ଶେଷରେ ସେ ନିଜେ। ସବୁ ପ୍ରକାର ପରିସ୍ଥିତିରେ ସେ ଏହି ନୀତିକୁ ହିଁ ଅନୁସରଣ କରିଛନ୍ତି ଏବଂ ଏହାକୁ ମଧ୍ୟ କରିଚାଲିବେ ବୋଲି କହିଛନ୍ତି। ମତବ୍ୟକ୍ତ କରିବାର ସ୍ବାଧୀନତା ପ୍ରସଙ୍ଗରେ ସେ କହିଛନ୍ତି, ଭାରତୀୟ ଗଣତନ୍ତ୍ରର ସାରମର୍ମ ହେଲା ବିବିଧତା ଏବଂ ମତବ୍ୟକ୍ତ କରିବାର ସ୍ବାଧୀନତାକୁ ସମ୍ମାନ ଦେବା। ଦଳ ଆରମ୍ଭରୁ ଯେଉଁମାନେ ଆମ ରାଜନୈତିକ ମତ ସହ ଏକମତ ନହୁଅନ୍ତି ସେମାନଙ୍କୁ ଆମେ ଶତ୍ରୁ ଭାବୁନା, ସେମାନଙ୍କୁ କେବଳ ବିରୋଧୀଭାବେ ବିବେଚନା କରୁ। ତେଣୁ ଯେଉଁମାନେ ଆମ ସହ ରାଜନୈତିକ ଦୃଷ୍ଟିକୋଣରୁ ରାଜି ହୁଅନ୍ତି ନାହିଁ ସେମାନଙ୍କୁ ଆମେ ଦେଶ ବିରୋଧୀ ବୋଲି ମଧ୍ୟ ବିବେଚନା କରୁନା। ବ୍ୟକ୍ତିଗତ ଓ ରାଜନୈତିକ ସ୍ତରରେ ପ୍ରତ୍ୟେକ ନାଗରିକଙ୍କ ପସନ୍ଦର ସ୍ବାଧୀନତା ପ୍ରତି ଦଳ ପ୍ରତିଶ୍ରତୁବଦ୍ଧ ରହିଆସିଛି ବୋଲି ଆଡ଼ଭାନୀ ମତବ୍ୟକ୍ତ କରିଛନ୍ତି। ଦଳ ମଧ୍ୟରେ ଏବଂ ଦେଶର ଶାସନ ବ୍ୟବସ୍ଥାରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପରମ୍ପରାର ସୁରକ୍ଷା ହେଉଛି ବିଜେପିର ହଲମାର୍କ। ତେଣୁ ବିଜେପି ସବୁ ସମୟରେ ଗଣମାଧ୍ୟମ ସମେତ ଆମ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନ ଗୁଡ଼ିକର ସ୍ବାଧୀନତା, ସଂହତି ଓ ପାତରଅନ୍ତରହୀନତାକୁ ଦାବି କରିବା କ୍ଷେତ୍ରରେ ଆଗରେ ରହିଆସିଛି। ୩ଟି ବିଷୟ ଯଥା ସତ୍ୟ, ରାଷ୍ଟ୍ର ନିଷ୍ଠା ଏବଂ ଲୋକତନ୍ତ୍ର (ଉଭୟ ଦଳ ଭିତରେ ଏବା ବାହାରେ) ମୋ ଦଳକୁ ମାର୍ଗଦର୍ଶନ କରିଆସିଛି। ଏସବୁ ମୂଲ୍ୟବୋଧର ମିଶ୍ରଣରୁ ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ସୁ-ରାଜ୍ (ସୁଶାସନ) ଆସିଛି। ଏହି ବିଷୟ ପ୍ରତି ମୋ ଦଳ ସବୁବେଳେ ବାନ୍ଧି ହୋଇ ରହିଛି। ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଯେଉଁ ଯୋଦ୍ଧା ମନୋଭାବର ସଂଗ୍ରାମ ହୋଇଥିଲା ତାହା ଏସବୁ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ କରାଯାଇଥିଲା। ତେଣୁ ଭାରତର ଗଣତାନ୍ତ୍ରିକ ଭିତ୍ତିକୁ ସୁଦୃଢ଼ କରିବା ପାଇଁ ଆମେ ସମସ୍ତେ ମିଳିତଭାବେ ଉଦ୍ୟମ କରିବା ଉଚିତ। ଏକଥା ସତ୍ୟ ଯେ, ନିର୍ବାଚନ ହେଉଛି ଗଣତନ୍ତ୍ରର ଏକ ପର୍ବ। କିନ୍ତୁ ଭାରତୀୟ ଗଣତନ୍ତ୍ର ପ୍ରତି ଆମ ପ୍ରତ୍ୟେକ-ରାଜନୈତିକ ଦଳ, ଗଣମାଧ୍ୟମ, ନିର୍ବାଚନ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ଏବଂ ସର୍ବୋପରି ମତଦାତାଙ୍କ ପାଇଁ ଆତ୍ମ ନିରୀକ୍ଷଣ କରିବାର ମଧ୍ୟ ଏହା ଏକ ଉତ୍ସବ। ବ୍ଲଗର ଶେଷ ବାକ୍ୟରେ ସେ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/LK_Advani_Lok_Sabha_IndiaToday_Getty_Images.jpeg)