୩ ଦଶନ୍ଧିରେ ପ୍ରଥମ ଘଟଣା: ରାମ ମନ୍ଦିର ପାଇଁ ପଥର ଖୋଦେଇ କାମ ବନ୍ଦ କଲା ଭିଏଚ୍‌ପି

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ୧୯୯୦ ମସିହାରୁ ନିର୍ମାଣ କାର୍ଯ୍ୟଶାଳା ଦ୍ବାରା ମାର୍ବଲ ଏବଂ ପଥର ଖୋଦେଇ କାର୍ଯ୍ୟ ହେଉଛି। କିନ୍ତୁ ଦୀର୍ଘ ୩ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଭିଏଚ୍‌ପି (ବିଶ୍ବ ହିନ୍ଦୁ ପରିଷଦ) ପକ୍ଷରୁ ପଥର ଖୋଦେଇ କାମ ଏବେ ବନ୍ଦ ହୋଇଛି। ଭିଏଚ୍‌ପି ମୁଖପାତ୍ର ଶରଦ ଶର୍ମା କହିଛନ୍ତି ବର୍ତ୍ତମାନ ପାଇଁ ପଥର ଖୋଦେଇ କାମ ବନ୍ଦ ରଖିବାକୁ ପରିଷଦ ନିଷ୍ପତ୍ତି ନେଇଛି। ପୁଣିଥରେ କେବେ ପଥର ଖୋଦେଇ କାମ ଆରମ୍ଭ ହେବ ତାହା ରାମ ଜନ୍ମଭୂମି ନ୍ୟାସ ଉପରେ ନିର୍ଭର କରୁଛି। କରସେବକପୁରମ୍‌ରେ କାମ କରୁଥିବା ଅଧିକାଂଶ ପଥର କାରିଗର ଗୁଜରାଟର ଭୁଜ ଏବଂ ସୌରାଷ୍ଟ୍ର ସ୍ଥିତ ସେମାନଙ୍କ ଘରକୁ ଫେରି ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ମୁଲାୟମ ସିଂହ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭିଏଚ୍‌ପି ଦ୍ବାରା ୧୯୯୦ରେ ରାମ ମନ୍ଦିର ପାଇଁ ପଥର ଖୋଦେଇ କାମ ଆରମ୍ଭ ହୋଇଥିଲା। ଭିଏଚ୍‌ପିର ଦାବି ଅନୁଯାୟୀ ୧.୨୫ ଲକ୍ଷ କ୍ୟୁବିକ୍‌ ଫିଟ୍‌ ପଥର ଖୋଦେଇ କରାଯାଇଛି। ଏପରିକି ୧୯୯୨ରେ ବାବ୍ରି ମସଜିଦ୍‌ ଧ୍ବଂସ ସମୟରେ ମଧ୍ୟ ଭିଏଚ୍‌ପି ଏବଂ ଆରଏସଏସ୍‌ ପରି ସଂଗଠନ ୬ ମାସ ପାଇଁ ନି‌ଷିଦ୍ଧ ହୋଇଥିଲେ ସୁଦ୍ଧା ପଥର ଖୋଦେଇ କାମ ଜାରି ରହିଥିଲା। କିନ୍ତୁ ଏବେ ପଥର ଖୋଦେଇ କାମ ବନ୍ଦ ହେବା ସମସ୍ତଙ୍କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର