ଭାରତ ଇତିହାସରେ ପ୍ରଥମ : ୪ ଜଣଙ୍କୁ ଏକସଙ୍ଗରେ ଫାଶୀ

ଫାଶୀ ପୂର୍ବରୁ ଫିଲ୍ମ ଷ୍ଟାଇଲ୍‌ରେ ଶେଷ ଇଚ୍ଛା ପଚରାଯିବନି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଏକସଂଗରେ ଫାଶୀ ଦିଆଯିବ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ। ତିହାର ଜେଲ୍‌ରେ ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି। ତିହାର ଜେଲ୍‌ କର୍ତ୍ତୃପକ୍ଷ ୪ ଦୋଷୀଙ୍କୁ ଏକାବେ‌ଳେ ଫାଶୀ ଦେବାପାଇଁ ଏକ ନୂଆ ଫାଶୀଖୁଣ୍ଟ ପ୍ରସ୍ତୁତ କରିଛନ୍ତି। ଦେଶର ପ୍ରଥମ ଜେଲ୍‌ ଭାବେ ତିହାରରେ ଏକାବେଳେ ୪ ଜଣଙ୍କୁ ଫାଶୀ ଦିଆଯିବ। ଜେଲ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଏଥିପାଇଁ ସ୍ବତନ୍ତ୍ର ଫାଶୀଖୁଣ୍ଟ ପ୍ରସ୍ତୁତି ସହ ଏକ ସୁଡ଼ଙ୍ଗ ତିଆରି କାର୍ଯ୍ୟ ମଧ୍ୟ ଚାଲିଛି। ଏହି ସୁଡ଼ଙ୍ଗ ଦ୍ବାରା ଫାଶୀ ପରେ ସମସ୍ତ ଦୋଷୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରା‌ଯିବ। ତେବେ ସମସ୍ତ ୪ ‌ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ଫିଲ୍ମ ଷ୍ଟାଇଲ୍‌ରେ ସେମାନଙ୍କ ‌ଶେଷ ଇଚ୍ଛା ସମ୍ପର୍କରେ ପଚରା ଯିବନାହିଁ। ପୂର୍ବତନ ତିହାର ଜେଲ୍‌ ଡିଜି ଅଜୟ କାଶ୍ୟପ କହିଛନ୍ତି, ଦୋଷୀଙ୍କ ଶେଷ ଇଚ୍ଛା‌ ପଚାରିବାର ପରମ୍ପରା କେବଳ ଫିଲ୍ମ‌ରେ ରହିଛି। ଏହାର କୌଣସି ଆଇନଗତ ଦିଗ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଫାଶୀ ପୂର୍ବରୁ ସମସ୍ତ ୪ ଦୋଷୀ ସେମାନଙ୍କ ଶେଷ ଇଚ୍ଛା ଲେଖି ପାରିବେ। ଡେଥ୍‌ ୱାରେଣ୍ଟ୍‌ ଜାରି ହେବାପରେ ସମସ୍ତ ଦୋଷୀଙ୍କୁ ଆଉ କାମ କରିବାକୁ ଦିଆଯିବ ନାହିଁ। ସେମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯିବ। ଦିନକୁ ୨ ଥର ଦୋଷୀମାନଙ୍କ ସ୍ବାସ୍ଥ୍ୟ ଚେକ୍‌ଅପ୍‌ କରାଯିବ। କୋର୍ଟଙ୍କ ଦ୍ବାରା ଜାରି‌ ହୋଇଥିବା ଡେଥ୍‌ ୱାରେଣ୍ଟ୍‌କୁ ଲାଲ୍‌ ଲଫାପାରେ ଜେଲ୍‌କୁ ପଠାଯିବ। ଦୋଷୀଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡ ସଂକ୍ରାନ୍ତରେ ଜଣାଯିବ। ଫାଶୀଦିନ ସମସ୍ତ ଦୋଷୀ ସକାଳୁ ସ୍ନାନ ପରେ ସକାଳ ଜଳଖିଆ କରିବେ। ଏହାପରେ ସେମାନଙ୍କୁ କଳା ପୋଷାକ ପିନ୍ଧାଇ ଫାଶୀ ଖୁଣ୍ଟ ନିକଟକୁ ନିଆଯିବ।

କୋର୍ଟରୁମ୍‌ରେ ଯୁକ୍ତିତର୍କ, ହସ୍ତକ୍ଷେପ କଲେ ବିଚାରପତି
ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଆଜି ନିର୍ଭୟା ମାମଲାରେ ଦୋଷୀଙ୍କ ପାଇଁ ଡେଥ୍‌ ୱାରେଣ୍ଟ ମାମଲାର ଶୁଣାଣି ଚାଲିଥିବା ବେଳେ ନିର୍ଭୟାଙ୍କ ମା ଏବଂ ଦୋଷୀ ମୁକେଶର ମା’ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମସ୍ତ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ନିର୍ଭୟାଙ୍କ ମା ଦାବି କରିଥିବା ବେଳେ ଦୋଷୀ ମୁକେଶର ମା ଏହାକୁ ବିରୋଧ କରି ତାଙ୍କ ପୁଅକୁ କ୍ଷମା ଦେବା ପାଇଁ କାନ୍ଦି କାନ୍ଦି କହିଥିଲେ। ଏହାକୁ ନେଇ କୋର୍ଟ ରୁମ୍‌ରେ ବିବାଦୀୟ ସ୍ଥିତି ଉପୁଜିଥିଲା। ତେବେ ନିର୍ଭୟାଙ୍କ ମା’ ଏହାକୁ ବିରୋଧ କରିଥିଲେ। କୋର୍ଟ ରୁମ୍‌ରେ ଏଭଳି ଯୁକ୍ତି ଓ ଅନୁରୋଧ ଗ୍ରହଣୀୟ ନୁହେଁ ବୋଲି ବିଚାରପତି କହିଥିଲେ ଏବଂ ସମସ୍ତଙ୍କୁ ଶୃଙ୍ଖଳା ରକ୍ଷା କରିବାକୁ କହିଥିଲେ।

ଡେଥ୍‌ ୱାରେଣ୍ଟ୍‌ କ’ଣ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁ‌ଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସମସ୍ତ ‌ଦୋଷୀଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ୱାରେଣ୍ଟ୍‌ (ମୃତ୍ୟୁ ପରୱାନା) ତଥା ବ୍ଲାକ୍‌ ୱାରେଣ୍ଟ୍‌ ଜାରି କରିଛନ୍ତି। ଜାନୁଆରି ୨୨, ସକାଳ ୭ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ କହିଛନ୍ତି। ଡେଥ୍‌ ୱାରେଣ୍ଟ୍‌ ହେଉଛି ଏକ ପ୍ରକାର ନୋଟିସ୍‌। ଦୋଷୀଙ୍କୁ କେତେବେଳେ ଏବଂ କେଉଁ ସମୟରେ ଫାଶୀ ଦିଆଯିବ ତାହା ଏହି ନୋଟିସ୍‌ରେ କୁହାଯାଏ। ଏହି ନୋଟିସ୍‌ କୋର୍ଟଙ୍କ ଦ୍ବାରା ଜାରି କରାଯାଏ। ଦୋଷୀଙ୍କ କ୍ଷମା ଆବେଦନ ସଂକ୍ରାନ୍ତ ସମସ୍ତ ସୁଯୋଗ ଶେଷ ହେବାପରେ ଡେଥ୍‌ ୱାରେଣ୍ଟ୍‌ ଜାରି ପାଇଁ ପ୍ରକ୍ରିୟା ଆରମ୍ଭ ହୁଏ। ଏହି ୱାରେଣ୍ଟ୍‌ ଦ୍ବାରା ଫାଶୀ ପାଇଁ ଚୂଡ଼ାନ୍ତ ନିର୍ଦ୍ଦେଶ ଆସିଥାଏ।

ସମ୍ବନ୍ଧିତ ଖବର