ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ, ଜାମିନ ଆବେଦନର ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜଣିକିଆ ଖଣ୍ଡପୀଠରେ ଜାମିନ, ଆଗୁଆ ଜାମିନ ଏବଂ ମାମଲା ସ୍ଥାନାନ୍ତର ସଂକ୍ରାନ୍ତ ଆବେଦନର ଶୁଣାଣି ହେବ। ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ‌ଜଣେ ବିଚାରପତିଙ୍କୁ ଏଥିପାଇଁ ମନୋନୀତ କରିବେ ଏବଂ ଜଣିକିଆ ଖଣ୍ଡପୀଠ ଏ ବାବଦ ଶୁଣାଣି କରିବେ। ଏଭଳି ନିଷ୍ପତ୍ତି ସୁପ୍ରିମ୍‌ କୋର୍ଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଗତ ୧୭ ତାରିଖରେ ଏ ସଂକ୍ରାନ୍ତରେ ଏକ ଗେଜେଟ୍‌ ବିଜ୍ଞପ୍ତି ଜାରି ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟ ଏହାର ରୁଲ୍ସ ୨୦୧୩ରେ ସଂଶୋଧନ ଆଣିଛନ୍ତି। ଏହି ସଂଶୋଧନ ବଳରେ ପ୍ରଧାନ ବିଚାରପତିଙ୍କ ମାମଲା ଆବଣ୍ଟନ କ୍ଷମତା ବୃଦ୍ଧି ପାଇଛି। ପ୍ରଧାନ ବିଚାରପତି ତାଙ୍କର ଜଣେ ସହକର୍ମୀଙ୍କୁ ଏକକ ଖଣ୍ଡପୀଠ ଗଠନ ପାଇଁ ମନୋନୀତ କରିବେ । ଏହି ଖଣ୍ଡପୀଠ ଜାମିନ, ଆଗୁଆ ଜାମିନ ଏବଂ ଗୋଟିଏ ହାଇକୋର୍ଟରୁ ଅନ୍ୟ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର ସଂକ୍ରାନ୍ତ ଆବେଦନର ଶୁଣାଣି କରିବେ।

ସମ୍ବନ୍ଧିତ ଖବର