ନୂଆଦିଲ୍ଲୀ: ଶକ୍ତିକାନ୍ତ ଦାସଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି। ଅର୍ଥ କମିସନର ସଭ୍ୟ ଥିବା ଶକ୍ତିକାନ୍ତ ଦାସ ତିନି ବର୍ଷ ଲାଗି ଏହି ଦାୟିତ୍ବ ତୁଲାଇବେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଅଚାନକ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଶକ୍ତିକାନ୍ତ ଦାସଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଏହି ପଦବିରେ ନିଯୁକ୍ତ ହେବାରେ ଶକ୍ତିକାନ୍ତ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ ଅଧିକାରୀ। ତାଲିନାଡ଼ୁ ୧୯୮୦ କ୍ୟାଡରର ଆଇଏଏସ୍ ଅଧିକାରୀ ଶକ୍ତିକାନ୍ତ ଦାସ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ସେ ତାମିଲନାଡ଼ୁ ସମେତ କେନ୍ଦ୍ର ସରକାରଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ପାଇଥିଲେ। େସ ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ, ରାଜସ୍ବ ସଚିବ ଏବଂ ସାର ବିଭାଗରେ ସଚିବ ଥିଲେ। ଗତବର୍ଷ ସେ ଅବସର ଗ୍ରହଣ କରିଥିଲେ। ଉର୍ଜିତ ପଟେଲ୍ ଇସ୍ତଫା ଦେବା ପରେ ତାଙ୍କର ଉତ୍ତରାଧିକାରୀ ଭାବେ ଅନେକ େଲାକଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ସରକାର ଶକ୍ତିକାନ୍ତଙ୍କୁ ଚୟନ କରିଛନ୍ତି। ନିଯୁକ୍ତି ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ଶ୍ରୀ ଦାସଙ୍କ ନାମକୁ ଅନୁମୋଦନ ପ୍ରଦାନ କରିଛି। ଶକ୍ତିକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ବିଶ୍ବସ୍ତ ଅଧିକାରୀ ଥିଲେ। ମୋଦୀ ହିଁ ତାଙ୍କୁ ରାଜସ୍ବ ବିଭାଗର ମୁଖ୍ୟ ଭାବେ ଅର୍ଥ ମନ୍ତ୍ରାଳୟରେ ନିଯୁକ୍ତି ଦେଇଥିଲେ। ପରବର୍ତୀ ସମୟରେ ତାଙ୍କୁ ଅର୍ଥନୈତିକ ବ୍ୟାପାର ବିଭାଗର ମୁଖ୍ୟ କରାଯାଇଥିଲା। ସେହି ସମୟରେ ସେ ମୋଦୀ ସରକାରଙ୍କ ସବୁଠୁ ବଡ଼ ଅଭିଯାନ ବିମୁଦ୍ରୀକରଣର ମଙ୍ଗ ସମ୍ଭାଳିଥିଲେ। ତାଙ୍କୁ ବିମୁଦ୍ରୀକରଣର ଚେହେରା କହିଲେ ଭୁଲ ହେବ ନାହିଁ। କାରଣ ସେହି ସମୟରେ ସରକାରଙ୍କ ତରଫରୁ ଯେତେ ସବୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ସବୁଥିରେ ଶକ୍ତିକାନ୍ତଙ୍କୁ ଦେଖିବାକୁ ମିଳୁଥିଲା। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆକୁ ଅଚଳ ଘୋଷଣା କରିଦେଇଥିଲେ। ସରକାରଙ୍କ ଏହି ପଦକ୍ଷେପକୁ ଶକ୍ତିକାନ୍ତ ଦୃଢ଼ ସମର୍ଥନ କରିଥିଲେ ଓ ପ୍ରାୟ ସବୁ ପ୍ରକାର ମଞ୍ଚରେ ସରକାରଙ୍କ ସପକ୍ଷରେ ସେ ଯୁକ୍ତି ଉପସ୍ଥାପନ କରି ବିମୁଦ୍ରୀକରଣର ପ୍ରମୁଖ ଚେହେରା ପାଲଟିଥିଲେ। ସେଥିପାଇଁ ଅବଶ୍ୟ କେତେକ ମହଲରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଲାଗୁ କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। କେବଳ ମୋଦୀ ସରକାର ନୁହେଁ, ଏହା ପୂର୍ବରୁ ଥିବା ଉପା-୨ ସରକାର ଅମଳରେ ମଧ୍ୟ ଶକ୍ତିକାନ୍ତ କାମ କରିଛନ୍ତି। ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ତାଙ୍କର ବଡ଼ ହାତ ରହୁଥିଲା।
ଉଲ୍ଲେଖଯୋଗ୍ୟ, ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି ଅପରାହ୍ନରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ କେନିଆ ଜନ୍ମିତ ଉର୍ଜିତ ପଟେଲ୍ ଇସ୍ତଫା ଦେଇଥିଲେ। ତାଙ୍କର ଏଭଳି ଅଚାନକ ଇସ୍ତଫାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ବିଶେଷ ଆଶ୍ଚର୍ଯ୍ୟ ପ୍ରକଟ କରିନଥିଲେ। ସେଥିରୁ ଯାହା ଜଣାପଡ଼ୁଥିଲା ଉର୍ଜିତ ଗଭର୍ଣ୍ଣର ପଦ ଛାଡ଼ିବେ ବୋଲି ସରକାର ଆଗୁଆ ଜାଣିଥିଲେ। ଉର୍ଜିତଙ୍କ ଇସ୍ତଫାର ଗୋଟିଏ ଦିନ ବିତି ନଥିବାବେଳେ ତାଙ୍କ ଉତ୍ତରାଧିକାରୀ ଭାବେ ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯାଇଥିବାରୁ, ସରକାର ଆଗୁଆ ସବୁ କିଛି ଜାଣିଥିଲେ ବୋଲି ସ୍ପଷ୍ଟ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/shaktikant-das1.jpg)