ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ଏକାଧିକ ରାଜ୍ୟ ପ୍ରସଙ୍ଗ ଉପସ୍ଥାପନ କରିଛି ବିଜେଡି

ନୂଆଦିଲ୍ଲୀ: ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜି ଶେଷ ହୋଇଛି। ଏହି ସଂକ୍ଷିପ୍ତ ବଜେଟ ଅଧିବେଶନର ୯ଟି କାର୍ଯ୍ୟଦିବସରେ ବିଜେଡି, ବିଜେପି ଓ କଂଗ୍ରେସ ସାଂସଦମାନେ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗନେବା ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ।

ଏହି ଅଧିବେଶନ କାଳରେ ବିଜେଡି ଜାତିଭିତ୍ତିକ ଗଣନା, ଏନପିଆର ସ୍ତମ୍ଭ ୧୩ (୨) ବିକଳ୍ପର ଉଚ୍ଛେଦ ସହିତ ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ‘ଫୋକସ୍‌ ରାଜ୍ୟ’ ମାନ୍ୟତା ପାଇଁ ଦାବି କରିଥିଲା। ରାଜ୍ୟର ଜିଏସ୍‌ଟି କ୍ଷତିପୂରଣ ବକେୟା ପ୍ରଦାନ, ସ୍ବଚ୍ଛ ଶକ୍ତି ସେସ୍‌ରୁ ଓଡ଼ିଶାକୁ ଅଂଶଧନ ପ୍ରଦାନ, ଫୁଡ୍ ସବ୍‌ସିଡି ପାଇଁ ଓଡ଼ିଶାକୁ ଅଧିକ ଅର୍ଥ ଆବଣ୍ଟନ କରିବା, କୋଇଲା ରୟାଲିଟି ସଂଶୋଧନ, ରେଳ ପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର ତ୍ବରାନ୍ବିତ କରାଯିବା ସହିତ ଅଧିକ ପାଣ୍ଠିର ବ୍ୟବସ୍ଥା, ଆନ୍ତଃରାଜ୍ୟ ନଦୀ ଜଳବିବାଦ ଅନ୍ତର୍ଗତ ମହାନଦୀ ଜଳବିବାଦ ଓ ପୋଲାଭରମ୍ ବିବାଦର ସମାଧାନ ପାଇଁ ଦାବି କରାଯାଇଥିଲା। ଏଥିସହିତ, ଓଡ଼ିଶାରେ ଜାତୀୟ ଜନଜାତି ସଂଗ୍ରାହଳୟ ପ୍ରତିଷ୍ଠା, ଓଡ଼ିଶାର କୀର୍ତ୍ତିରାଜିକୁ ଐତିହ୍ୟ ତାଲିକାରେ ସାମିଲ କରିବା, ଜିଲ୍ଲା ଖଣିଜ ପାଣ୍ଠିରୁ ଆୟକର ଛାଡ଼ କରିବା, ଉପକୂଳ ଓଡ଼ିଶାରେ ଇଲେକ୍ଟିକ ଟ୍ରାନ୍ସମିସନ ନେଟଵାର୍କକୁ ମଜବୁତ କରିବା, ଵାଟରସେଟ୍ ପ୍ରକଳ୍ପକୁ କେନ୍ଦ୍ରୀୟ ଯୋଜନାରେ ସାମିଲ କରିବା, ଭୁବନେଶ୍ବରରୁ ଦୁବାଇ ବିମାନ ଚଳାଚଳ କରିବା, ପୁରୀକୁ ସାଂସ୍କୃତିକ ରାଜଧାନୀ ପ୍ରତିଷ୍ଠା ପାଇଁ ଅନୁଦାନ ଦାବି କରିବା, ରାଜ୍ୟର ଆର୍ଥିକ ଅବସ୍ଥା ବ୍ୟବସ୍ଥିତ ଥିବା ବେଳେ ଅନୁଦାନ ହ୍ରାସ କରାଯିବା ପ୍ରସଙ୍ଗ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା, ଓଡ଼ିଶାରା ପାରାମେଡିକାଲ ବିଶ୍ବବିଦ୍ୟାଳୟ ସ୍ଥାପନା ତଥା ଭାରତର ସମ୍ବିଧାନ ପ୍ରସ୍ଥାବନାରେ ଅହିଂସା ଶବ୍ଦ ଯୋଡ଼ିବା ଭଳି ପ୍ରସଙ୍ଗ ଗୁଡ଼ିକୁ ଉତ୍‌ଥାପନ କରିବା ସହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅପରପକ୍ଷେ, ଓଡ଼ିଶାର ବିଜେପି ସାଂସଦମାନେ ମଧ୍ୟ ଜାତୀୟ ଓ ରାଜ୍ୟର ପ୍ରସଙ୍ଗ ଉପରେ ମତ ରଖିଥିଲେ। ବଜେଟ୍ ଭାଷଣରେ ବିଜେପି ପକ୍ଷରୁ ଲୋକସଭାରେ ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା କୁମାରୀ ସିଂହଦେଓ ଓ ରାଜ୍ୟସଭାରେ ଅଶ୍ବିନୀ ବୈଷ୍ଣବ ଭାଗ ନେଇଥିଲେ ତଥା ବଜେଟ୍‌ ଉପସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ପ୍ରଶ୍ନକାଳରେ ବିଜେପିର ସାଂସଦ ସଙ୍ଗୀତା ସିଂହଦେଓ ନୀତି ଆୟୋଗ ଦ୍ବାରା ପ୍ରକାଶିତ କମ୍ପୋଜିଟ୍ ଵାଟର ମ୍ୟାନେଜମେଣ୍ଟ ଇଣ୍ଡେକ୍ସରେ ଓଡ଼ିଶା ତ୍ରୟୋଦଶ ସ୍ଥାନରେ ଥିବା ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟ ସରକାର ବୃହତ୍ ଜଳ ବିଧେୟକ ଆଣିନଥିବାର କହିଥିଲେ। ଓଡ଼ିଶାକୁ ଅଟଳ ଭୂଜଳ ଯୋଜନାରେ ସାମିଲ କରିବା ପାଇଁ ସେ ଦାବି କରିଥିଲେ। ବିଜେପି ସାଂସଦମାନଙ୍କ ଦ୍ବାରା ତାରକା ଓ ଅଣତାରକା ପ୍ରଶ୍ନ ଜରିଆରେ ରାଜ୍ୟ ସମ୍ପର୍କିତ ଅନେକ ପ୍ରସଙ୍ଗ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପାଖରୁ ତଥ୍ୟ ମଧ୍ୟ ଲୋଡ଼ାଯାଇଥିଲା।

ସମ୍ବନ୍ଧିତ ଖବର