ଗୁଜରାଟ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୮ ପ୍ରତିଶତ ମତଦାନ

ଖରାପ ଇଭିଏମ୍‌କୁ ନେଇ ଅସନ୍ତୋଷ, ସୁରଟରେ ୭୦ ଇଭିଏମ୍‌ ବଦଳାଗଲା

ଅହମଦାବାଦ୍‌: ଗୁଜରାଟରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ବିଧାନସଭାର ମୋଟ ୧୮୨ ଆସନରୁ ପ୍ରଥମ ପର୍ଯ୍ୟାୟରେ କଚ୍ଛ, ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟରେ ସମୁଦାୟ ୧୯ଟି ଜିଲ୍ଲାର ୮୯ଟି ଆସନ ଲାଗି ଭୋଟ୍‌ ଗ୍ରହଣ ହୋଇଛି। ଏଥିରେ ୬୮ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ କମିସନ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ବନ୍ଦ ହୋଇଯାଇଥିବା ବେଳେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଆଗାମୀ ୧୪ ତାରିଖ ଦିନ ଅନୁଷ୍ଠିତ ହେବ ଏବଂ ୧୮ ତାରିଖ ଦିନ ଫଳାଫଳ ଘୋଷଣା ହେବ। ଆଜି ଯେଉଁ ୮୯ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା, ସେହି ଆସନଗୁଡ଼ିକରେ ୨୦୧୨ରେ ୭୦.୭୭ ପ୍ରତିଶତ ମତଦାନ ହୋଇଥିଲା ସେଥିରୁ ୪୭.୮୫ ପ୍ରତିଶତ ଭୋଟ୍‌ ବିଜେପିକୁ ମିଳିଥିବା ବେଳେ ୯୮.୯୩ ପ୍ରତିଶତ ଭୋଟ୍‌ କଂଗ୍ରେସକୁ ମିଳିଥିଲା। ୨୦୧୨ ନିର୍ବାଚନରେ ଏହି ୮୯ ଆସନରୁ ୬୩ଟିରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୨୨ଟି ଏବଂ ଅନ୍ୟମାନଙ୍କୁ ୪ଟି ଆସନ ମିଳିଥିଲା। ଚଳିତ ଗୁଜରାଟ ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ ହୋଇଥିବା ବେଳେ ଖୁବ୍‌ଶୀଘ୍ର କଂଗ୍ରେସର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯାଉଥିବା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପାଇଁ ମଧ୍ୟ ଏକ ବଡ଼ ପରୀକ୍ଷା । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେପିକୁ ୧୨ଟି ରାଜ୍ୟରେ ବିଜୟ ମିଳିଥିବା ବେଳେ ଏବେ ସବୁଠାରୁ ବଡ଼ ପରୀକ୍ଷା ଏହି ନିର୍ବାଚନରେ ହେଉଛି । ଏହି ନିର୍ବାଚନ ଜିଏସ୍‌୍‌ଟି ଏବଂ ଗୁଜରାଟ ମଡେଲର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ମଧ୍ୟ କୁହାଯାଉଛି ।

ଆଜି ପ୍ରଥମ ପର୍ଯ୍ୟାଟ ଭୋଟ୍‌ ଗ୍ରହଣ ବେଳେ ଅନେକ ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ତ୍ରୁଟିଥିବା ଜଣାପଡ଼ିଥିଲା। ଏହାକୁ ନେଇ କାଁ ଭାଁ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ତୁରନ୍ତ ନୂଆ ଇଭିଏମ ଲଗାଇ ଭୋଟ୍‌ ଗ୍ରହଣ ପ୍ରକ୍ରିୟାକୁ ସ୍ୱାଭାବିକ କରାଯାଇଥିଲା। ସୁରଟରେ ସର୍ବାଧିକ ୭୦ଟି ଇଭିଏମ୍‌ ତ୍ରୁଟିପୂର୍ଣ୍ଣ ଥିବା ଜଣାପଡ଼ିବା ପରେ ଏହାକୁ ବଦଳା ଯାଇଥିଲା। ଆଜି ସମସ୍ତ ମତଦାନ କେନ୍ଦ୍ରରେ ଇଭିଏମ୍‌ ସହ ଭିଭିପିଏଟି (ଭୋଟର୍‌ ଭେରିଫାଏଡ ପେପର ଅଡିଟ୍‌ ଟ୍ରାଏଲ) ମେସିନ ରାଜ୍ୟରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା। ଗୋଆ ପରେ ଗୁଜରାଟ ହେଉଛି ଦ୍ୱିତୀୟ ରାଜ୍ୟ ଯେଉଁଠି ସମସ୍ତ ୫୦,୧୨୮ ବୁଥ୍‌ରେ ଭିଭିପିଏଟି ମେସିନ୍‌ ବ୍ୟବହାର କରାଯାଉଛି। ଆଜି ମତଦାନ ପରେ ବିଜେପି ପଞ୍ଚମ ଥର ଲାଗି ରାଜ୍ୟରେ କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ଅନ୍ୟପକ୍ଷରେ ୨୨ ବର୍ଷର ବିଜେପି ଶାସନକୁ ଲୋକେ ଆଉ ଗ୍ରହଣ ନକରି କଂଗ୍ରେସକୁ ଭୋଟ୍‌ ଦେଇଛନ୍ତି ବୋଲି ଦଳର ବରିଷ୍ଠ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର