ଇମ୍ରାନ୍‌ଙ୍କୁ ନସୀରୁଦ୍ଦିନ୍‌ଙ୍କ ଜବାବ: ପ୍ରଥମେ ନିଜ ଦେଶକୁ ସମ୍ଭାଳ

ନୂଆଦିଲ୍ଲୀ: ଗୋହତ୍ୟା ସନ୍ଦେହରୁ କିଛିଦିନ ତଳେ ବୁଲନ୍ଦସର୍‌ରେ ଘଟିଥିବା ହିଂସାକାଣ୍ଡକୁ ନେଇ ଅଭିନେତା ନସୀରୁଦ୍ଦିନ୍‌ ଶାହ ଟିପ୍ପଣୀ ଦେବା ପରେ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ତେବେ ନସୀରୁଦ୍ଦିନ୍‌ଙ୍କ ଟିପ୍ପଣୀ ପାଇଁ ତାଙ୍କୁ ଭାରତରେ ସମାଲୋଚନା କରାଯିବା ପରିପ୍ରେକ୍ଷୀରେ ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ତାଙ୍କ ସପକ୍ଷ‌ରେ ଯୁକ୍ତି ବାଢ଼ିଥିଲେ। ନସୀରୁଦ୍ଦିନ୍‌ଙ୍କୁ ଏଭଳି ସମ‌ାଲୋଚନା କରାଯିବା ଗ୍ରହଣୀୟ ନୁହେଁ ବୋଲି କହିଥିଲେ। କିନ୍ତୁ ଇମ୍ରାନ୍‌ଙ୍କ ଏଭଳି ବୟାନକୁ କଡ଼ା ବିରୋଧ କରି ନସୀରୁଦ୍ଦିନ୍‌ ତାଙ୍କୁ ଭର୍ତ୍ସନା କରିଛନ୍ତି। ଇମ୍ରାନ୍‌ ପ୍ରଥମେ ନିଜ ଦେଶ ପାକିସ୍ତାନକୁ ସମ୍ଭାଳନ୍ତୁ ଏବଂ ଅନ୍ୟ କଥା ଚିନ୍ତା କରିବା ଦରକାର ନାହିଁ ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ନସୀରୁଦ୍ଦିନ୍‌ କହିଛନ୍ତି, ପାକିସ୍ତାନ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଇମ୍ରାନ୍‌ ଗୁରୁତ୍ବ ଦେବା ଆବଶ୍ୟକ। ଭାରତରେ କ’ଣ ଘଟିଲା ବା ଘଟିବ, ତାହାକୁ ନେଇ ସେ ମୁଣ୍ଡ ଖେଳାଇବା ଅନୁଚିତ। ବୁଲନ୍ଦସର୍‌ ହିଂସାକୁ ଆଧାର କରି ନସୀରୁଦ୍ଦିନ୍‌ କହିଥିଲେ, ଦେଶରେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁଠାରୁ ଗାଈ ମୃତ୍ୟୁକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଏହାକୁ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଥିଲେ ଯେ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରକୃତ ନାଗରିକର ମର୍ଯ୍ୟାଦା ମିଳୁନାହିଁ। ସଂଖ୍ୟାଲଘୁଙ୍କୁ କିଭଳି ବ୍ୟବହାର କରିବାକୁ ହୁଏ, ଆମେ ତାହା ଦେଖାଇବୁ।

ସମ୍ବନ୍ଧିତ ଖବର