ଦେଶରେ ପ୍ରଥମ ଘଟଣା, ଆନ୍ଧ୍ରରେ ୫ ଉପ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଆଜି

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡି ରାଜ୍ୟରେ ୫ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେବାପାଇଁ ଆଜି ନିଷ୍ପତ୍ତି ନେଇଛନ୍ତି। ଏ ପର୍ଯ୍ୟନ୍ତ ଦେଶର କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ଦେଖିବାକୁ ମିଳିନାହିଁ। ଜଗନଙ୍କ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସଂପ୍ରଦାୟରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତି ହେବେ। ଆଜି ୱାଇଏସ୍‌ଆର୍‌ କଂଗ୍ରେସ ବିଧାୟକ ଦଳ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜଗନ କହିଥିଲେ ଯେ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସେ ନୂଆ ମନ୍ତ୍ରିମଣ୍ଡଳ ଚୟନ କରିବେ। ୨୫ ସଦସ୍ୟ ବିଶିଷ୍ଟ ମନ୍ତ୍ରି ପରିଷଦର ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବ। ଜଗନଙ୍କ ୫ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତି ନିଷ୍ପତ୍ତିକୁ ଦଳୀୟ ବିଧାୟକମାନେ ସ୍ବାଗତ କରିଛନ୍ତି ଏବଂ ଜଗନ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହେବେ ବୋଲି କହିଛନ୍ତି।

ଜଗନ ଆଜି କହିଛନ୍ତି ଯେ ଅଢ଼େଇ ବର୍ଷ ପରେ ସେ କ୍ୟାବିନେଟ୍‌ରେ ପୁଣି ବଡ଼ ଧରଣର ଅଦଳବଦଳ କରିବେ। ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ବିଧାୟକମାନେ ନିଷ୍ଠା ଓ ସତର୍କତାର ସହ କାମ କରିବା ଜରୁରୀ ବୋଲି ସେ କହିଛନ୍ତି। ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମୋଟ ୧୭୫ ଆସନରୁ ଜଗନଙ୍କ ଦଳ ୧୫୧ ଆସନରେ ବିଜୟୀ ହୋଇଛି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପିକୁ ମାତ୍ର ୨୩ ଆସନ ମିଳିଛି।

ସମ୍ବନ୍ଧିତ ଖବର