ସାଉଦି ଆରବରେ ପ୍ରଥମ ଘଟଣା: ହିନ୍ଦୁ ପିତା, ମୁସଲିମ୍‌ ମା’ଙ୍କ ଝିଅକୁ ମିଳିଲା ଜନ୍ମ ପ୍ରମାଣପତ୍ର

ଦୁବାଇ: ସହିଷ୍ଣୁ ଦେଶ ଭାବେ ବିଶ୍ୱରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ସାଉଦି ଆରବ ନିଜ ନିୟମକୁ ଭାଙ୍ଗିଛି। ଜଣେ ହିନ୍ଦୁ ବାପା ଏବଂ ମୁସଲିମ୍‌ ମା’ଙ୍କ ଝିଅକୁ ଜନ୍ମ ପ୍ରମାଣପତ୍ର ଦେଇ ଆରବ ଦୃଷ୍ଟାନ୍ତମୂଳକ ପଦକ୍ଷେପ ‌େନଇଛି। ସୂଚନା ଅନୁଯାୟୀ, ଦୁବାଇରେ ରହୁଥିବା କିରଣ ବାବୁ ଏବଂ ସନମ୍‌ ସବୁ ସିଦ୍ଦିକିଙ୍କ ବିବାହ ପରେ ୨୦୧୮ ଜୁଲାଇରେ ତାଙ୍କର ଝିଅ ଜନ୍ମ ହୋଇଥିଲା। ଝିଅର ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ତାହାକୁ ପ୍ରତ୍ୟାଖାନ କରିଦିଆଯାଇଥିଲା। ସାଉଦି ଆରବ ନିୟମ ଅନୁଯାୟୀ ଜଣେ ମୁସଲିମ୍‌ ପୁରୁଷ ଅଣ ମୁସଲିମ୍‌ ମହିଳାଙ୍କୁ ବିବାହ କରିପାରିବେ, କିନ୍ତୁ ଜଣେ ମୁସଲିମ୍‌ ମହିଳା ଅଣ ମୁସଲିମ୍‌ ପୁରୁଷଙ୍କୁ ବିବାହ କରିପାରିବେନାହିଁ। ଏହି ନିୟମ କିରଣଙ୍କ ପାଇଁ ବାଧକ ସାଜିଥିଲା। ଏହା ପରେ କିରଣ କୋର୍ଟର ଆଶ୍ରୟ ନେଇଥିଲେ। ଏହାର ବିଚାର ଚାରି ମାସ ଧରି ଚାଲିଥିଲା। ଶେଷରେ ତାଙ୍କୁ ଅନୁମତି ମିଳିଛି। ଭାରତୀୟ ଦୂତାବାସ ପକ୍ଷରୁ କିରଣଙ୍କୁ ଏ କ୍ଷେତ୍ରରେ ସାହାଯ୍ୟ କରାଯାଇଥିଲା। ସୂଚନା ଥାଉକି, ସାଉଦି ଆରବ ୨୦୧୯ ମସିହାକୁ ‘ସହିଷ୍ଣୁତାର ବର୍ଷ’ ଭାବେ ଘୋଷଣା କରିଛି। ବିଭିନ୍ନ ଦେଶ ଏବଂ ସଂସ୍କୃତି ମଧ୍ୟରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର