ନୂଆଦିଲ୍ଲୀ: ମାଡ୍ରାସ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିବା ପରେ ସର୍ବୋଚ୍ଚ ଅଦାଲତରେ ମହିଳା ବିଚାରପତି ସଂଖ୍ୟା ପ୍ରଥମଥର ପାଇଁ ୩ରେ ପହଞ୍ଚିଛି। ୧୯୫୦ରେ ସୁପ୍ରିମ୍‌କୋର୍ଟ ପ୍ରତିଷ୍ଠା ହେବା ଦିନଠାରୁ ଏଥିରେ ମହିଳା ବିଚାରପତି ସଂଖ୍ୟା କେବଳ ଦୁଇରେ ସୀମିତ ଥିଲା। ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ନିକଟରେ ବିଚାରପତି ଭାବେ ସୁପ୍ରିମ୍‌କୋର୍ଟରେ ନିଯୁକ୍ତ ହୋଇଥିଲେ। ବାର୍‌ରୁ ସିଧାସଳଖ ତାଙ୍କୁ ଏହି ପଦୋନ୍ନତି ମିଳିଥିଲା। ତାଙ୍କ ବ୍ୟତୀତ ଆର୍‌ ଭାନୁମତୀ ମଧ୍ୟ ସୁପ୍ରିମ୍‌କୋର୍ଟରେ ବିଚାରପତି ଅଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ସର୍ବୋଚ୍ଚ ଅଦାଲତଙ୍କ ୬୮ ବର୍ଷ ଭିତରେ ୬୦ ବର୍ଷୀୟା ବାନାର୍ଜୀ ଅଷ୍ଟମ ମହିଳା ବିଚାରପତି ବିବେଚିତ ହୋଇଛନ୍ତି। ଅନ୍ୟ ମହିଳା ବିଚାରପତିଙ୍କ ମଧ୍ୟରେ ଫାତିମା ବିବି, ସୁଜାତା ଭି ମନୋହର, ରୁମା ପଲ୍‌, ଜ୍ଞାନସୁଧା ମିଶ୍ର, ରଞ୍ଜନା ପ୍ରକାଶ ଦେଶାଇ, ଆର୍‌ ଭାନୁମତୀ ଓ ଇନ୍ଦୁ ମାଲ୍‌ହୋତ୍ରା ଅନ୍ତର୍ଭୁକ୍ତ। ତେବେ ବାନାର୍ଜୀଙ୍କ ବ୍ୟତୀତ ଏବେ ଆର୍‌ ଭାନୁମତୀ ଓ ଇନ୍ଦୁ ମାଲ୍‌ହୋତ୍ରା ମହିଳା ବିଚାରପତି ଅଛନ୍ତି। ୧୯୫୭ ସେପ୍‌ଟେମ୍ବର ୨୪ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍‌ ବାନାର୍ଜୀ କୋଲ୍‌କାତାର ପ୍ରେସିଡେନ୍ସି ମହାବିଦ୍ୟାଳୟ ଏବଂ କାଲ୍‌କାଟା ୟୁନିଭର୍ସିଟିର କଲେଜ୍‌ ଅଫ୍‌ ଲ’ରୁ ଉଚ୍ଚଶିକ୍ଷା ହାସଲ କରିଛନ୍ତି। ୧୯୮୫ରେ ସେ ଆଡ୍‌ଭୋକେଟ୍‌ ଭାବେ ନାମାଙ୍କନ କରି କାଲ୍‌କାଟା ଉଚ୍ଚ ନ୍ୟାୟାଳୟରେ ଓକିଲାତି କାର୍ଯ୍ୟ କରିଥିଲେ। ୨୦୧୭ ଏପି୍ରଲ୍‌ ୫ରେ ସେ ମାଡ୍ରାସ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଜମ୍ମୁ-କଶ୍ମୀର ହାଇକୋର୍ଟରେ ପ୍ରଥମ ମହିଳା ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ହାଇକୋର୍ଟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଚାରପତିଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସେ ହେଉଛନ୍ତି ଜଷ୍ଟିସ୍‌ ଗୀତା ମିତ୍ତଲ୍‌। ତେବେ ଜଷ୍ଟିସ୍‌ ମିତ୍ତଲ୍‌ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ସେହିଭଳି ଜମ୍ମୁ-କଶ୍ମୀର ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ସିନ୍ଧୁ ଶର୍ମାଙ୍କୁ ନିଯୁକ୍ତ କରାଯାଇଛି। ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି। ବିଜ୍ଞପ୍ତି ମୁତାବକ ଦିଲ୍ଲୀ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରାଜେନ୍ଦ୍ର ମେନନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ରାଜସ୍ଥାନ ହାଇକୋର୍ଟ ବିଚାରପତି କଳ୍ପେଶ୍‌ ସତ୍ୟେନ୍ଦ୍ର ଜାଭେରିଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଜଷ୍ଟିସ୍‌ ବିନୀତ୍‌ ଶରଣଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତି ମିଳିବା ପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଜାଭେରିଙ୍କୁ ନିଯୁକ୍ତ କରାଯାଇଛି।