ନାମକୁ ମାତ୍ର ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ: ଷ୍ଟାଣ୍ଡିଂ କମିଟି

ନୂଆଦିଲ୍ଲୀ : ଦୁଷ୍କର୍ମ ଓ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପକ୍ସୋ) ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ସ୍ଥାପନ କରାଯାଇଥିବା ଫାଷ୍ଟଟ୍ରାକ କୋର୍ଟଗୁଡ଼ିକ ନାମକୁ ମାତ୍ର। ଏହି ସବୁ କୋର୍ଟମାନଙ୍କରେ ମାମଲା ଫୈସଲାରେ ବହୁ ବିଳମ୍ବ ହେଉଛି। ଏବେ ୧.୮୪ ଲକ୍ଷ ମାମଲା ଏହି ସବୁ କୋର୍ଟମାନଙ୍କରେ ବିଚାରାଧୀନ ରହିଛି। ବିଚାରପତିମାନଙ୍କ ଅଭାବ, ଜଟିଳ ପ୍ରକ୍ରିୟା, ନିୟମିତ ମ‌ାମଲାଗୁଡ଼ିକର ଶୁଣାଣିକୁ ସ୍ଥଗିତ ରଖିବା ଯୋଗୁ ଫାଷ୍ଟ ଟ୍ରାକ କୋର୍ଟଗୁଡ଼ିକର କାର୍ଯ୍ୟ ଦକ୍ଷତା କମିଛି। ବିଜେପି ସାଂସଦ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ମିକ, ଗଣ ଅଭିଯୋଗ, ଆଇନ ଓ ନ୍ୟାୟ ବିଭାଗ ସଂସଦୀୟ କମିଟି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ରିପୋର୍ଟରେ କୁହାଯାଇଛି, ଦେଶରେ କାର୍ଯ୍ୟକାରୀ ହେଉଥିବା ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ କେନ୍ଦ୍ର ସରକାରଙ୍କ ଏକ ପ୍ରୟୋଜିତ ଯୋଜନା। ଡିସେମ୍ବର ୩୧,୨୦୨୧ ସୁଦ୍ଧା ଓଡ଼ିଶାରେ ୨୨ଟି ଇ-ପକ୍ସୋ କୋର୍ଟ ସହିତ ୨୩ଟି ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ପାଇଁ ମଂଜୁରୀ ମିଳିଛି। ତେବେ ମଂଜୁରୀପ୍ରାପ୍ତ ୪୫ଟି କୋର୍ଟ ମଧ୍ୟରୁ ୧୫ଟି ଇ-ପକ୍ସୋ ସହିତ ମୋଟ ୩୬ଟି କୋର୍ଟ କାର୍ଯ୍ୟକାରୀ ହେଉଛି। ୯ଟି କାର୍ଯ୍ୟକାରୀ ହେଉନାହିଁ। ସେହି ଭଳି ଦେଶରେ ମଂଜୁରୀପ୍ରାପ୍ତ ୧୦୨୩ଟି ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଓ ପକ୍ସୋ କୋର୍ଟ ମଧ୍ୟରୁ ମାତ୍ର ୭୦୭ ଟି କାର୍ଯ୍ୟକ୍ଷମ ରହିଛି। ଗତ ଦୁଇ ବର୍ଷର ପ୍ରଦର୍ଶନକୁ ଆକଳନ କରି କମିଟି ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ସମ୍ପର୍କରେ ଉପରୋକ୍ତ ଟିପ୍ପଣୀ ଦେଇଛି।

ଓଡ଼ିଶାରେ ବିଜ୍ଞପିତ ୨୩ ଟି ଗ୍ରାମ୍ୟ ନ୍ୟାୟାଳୟ ମଧ୍ୟରୁ ୧୯ଟି କାର୍ଯ୍ୟକରୁଛି। ଗ୍ରାମ୍ୟ ନ୍ୟାୟାଳୟ ଯୋଜନାରେ ରାଜ୍ୟକୁ ୩.୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଏବେ ୯ଟି ବିଚାରପତି ପଦ ଖ‌ାଲି ରହିଛି। ଯାହାକି ମଂଜୁର ମୋଟ ବିଚାରପତି ସଂଖ୍ୟାର ଏକ ତୃତୀୟାଂଶ। ଏବେ ହାଇକୋର୍ଟରେ ୧,୪୨,୮୨୧ ସିଭିଲ୍‌ ଓ ୫୨,୩୪୦ ଫୌଜଦାରୀ ମାମଲା ବିଚାରାଧୀନ ଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର