ଏଫଏଟିଏଫ୍‌ ଧୂସର ତାଲିକାରେ ରହିବା ପରେ ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଗୁରୁତର ହେବ

ପ୍ୟାରିସ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି ।  ତେବେ ପାକିସ୍ତାନ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ପୁଣି ଥରେ ଧୂସର ତାଲିକାରେ ରହିବା ପାକିସ୍ତାନ ପାଇଁ ଆହୁରି ବିପଦ ଟାଣିଆଣିବ। କାରଣ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଋଣ ପାଇବା ସହଜ ହେବ ନାହିଁ । ଏବେ ପାକିସ୍ତାନ ଋଣଗସ୍ତ ହୋଇପଡ଼ିଥିବାବେଳେ ଆଗକୁ ନିଜ ଋଣର ସୁଧ ପରିଶୋଧ କରିବାକୁ ମଧ୍ୟ ସକ୍ଷମ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୭ଟି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଏଟିଏଫ ଗତ ବର୍ଷ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ପାକିସ୍ତାନ ୨୧ଟି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ଅବଶିଷ୍ଠ ୬ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଫଳ ହୋଇଥିବାରୁ ଏପରି ନିଷ୍ପତ୍ତି ନେଇଛି ଏଫଏଟିଏଫ । ଏଫଏଟିଏଫର ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ଏହାର ଅଧ୍ୟକ୍ଷ ମାର୍କସ ପ୍ଲେୟେର ।
ଏଥର ପାକିସ୍ତାନକୁ ସାଉଦି ଆରବ ମଧ୍ୟ ଭୋଟ ଦେଇନଥିବା କୁହାଯାଉଛି । ପାକିସ୍ତାନକୁ କଳା ତାଲକାଭୁକ୍ତ କରିବାକୁ ଭାରତ କୂଟନୈତିକ ସ୍ତରରେ ଉଦ୍ୟମ କରିଆସୁଥିଲା । ପାକିସ୍ତାନ କଳାତାଲିକାରେ ନରହିଲେ ମଧ୍ୟ ଧୂସର ତାଲିକାରେ ରହିବା ମଧ୍ୟ ଭାରତ ପାଇଁ ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଏଫଏଟିଏଫ ଗତ ୨୦୧୮ରୁ ଗ୍ରେ (ଧୂଷର) ତାଲିକାରେ ରଖିଛି । ଗତ ବର୍ଷ ଅକ୍ଟୋବର ମାସରେ ହୋଇଥିବା ଏଫଏଟିଏଫ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚଳିତ ବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର