ପ୍ୟାରିସରେ ଆରମ୍ଭ ହେଲା ଏଫଏଟିଏଫର ଗୁରୁତ୍ୱପୂର୍ଣ୍ଣ ବୈଠକ, ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ

ପ୍ୟାରିସ : ଆଜିଠାରୁ ପ୍ୟାରିସଠାରେ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ  ଏଫଏଟିଏଫର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଗୁରୁବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ । ପାକିସ୍ତାନ ଧୂସର ତାଲିକାରୁ ହଟିବ କିମ୍ବା କଳାତାଲିକାଭୁକ୍ତ ହେବ ତାହା ଏହି ବୈଠକରେ ନିଷ୍ପତ୍ତି ହେବ । ଏହି ବୈଠକରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କ, ଜାତିସଂଘ ପରି ଅନ୍ତର୍ଜାତୀୟ ସଂସ୍ଥା ଓ ୨୦୫ ଦେଶର ପ୍ରାୟ ୮୦୦ ପ୍ରତିନିଧି ଯୋଗ ଦେବେ ।

ତେବେ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନକୁ କଳାତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଚୀନ ବିରୋଧ କରିବ । ଏହାକୁ ଆମେରିକା ମଧ୍ୟ ସମର୍ଥନ ନ କରିବାର ସମ୍ଭାବନା ରହିଛି । ଗତ ମାସରେ ଚୀନ କହିଥିଲା ଯେ ପାକିସ୍ତାନ ଆତଙ୍କବାଦ ବିରୁଦ୍ଧରେ ଆଖିଦୃଷ୍ଟିଆ ପଦକ୍ଷେପ ନେଇଛି । ଚୀନ ଏବେ ଏଫଏଟିଫର ଅଧ୍ୟକ୍ଷ ରହିଛି । ଚୀନର ଏହି ବକ୍ତବ୍ୟରୁ ଜଣାପଡ଼ୁଛି ଯେ ପାକିସ୍ତାନ ବିରୁଦ୍ଧରେ ଏଫଏଟିଏଫରେ ସେଭଳି କୌଣସି ବଡ଼ ପଦକ୍ଷେପ ନିଆଯିବ ନାହିଁ ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଏଫଏଟିଏଫ ଗତ ୨୦୧୮ରୁ ଗ୍ରେ (ଧୂସର) ତାଲିକାରେ ରଖିଛି । ଗତ ଅକ୍ଟୋବର ମାସରେ ହୋଇଥିବା ଏଫଏଟିଏଫ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେବ୍ରୁଆରି ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର