ପ୍ୟାରିସ୍‌ରେ ଏଫ୍‌ଏଟିଏଫ୍‌ ବୈଠକ, ଚୀନ୍‌ ଶରଣରେ ପାକିସ୍ତାନ

କଳା ତାଲିକାଭୁକ୍ତ ହୋଇପାରେ

ବ୍ରସେଲ୍‌ସ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଆର୍ଥିକ ଅପରାଧୀଙ୍କୁ ସୁରକ୍ଷା ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ଦ୍ବାରା ବ୍ୟାପକ ମନି ଲଣ୍ଡରିଂ ମାମଲାକୁ ଗମ୍ଭୀରତାର ସହ ନେଇଥିବା ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ବୈଠକ ଆଜି ପ୍ୟାରିସ୍‌ରେ ଆରମ୍ଭ ହୋଇଛି। ଏଫ୍‌ଏଟିଏଫ୍‌ ଜୁନ୍‌ ୨୦୧୮ରେ ପାକିସ୍ତାନକୁ ଗ୍ରେ ଲିଷ୍ଟ୍‌ରେ ରଖିଥିଲା ଏବଂ ଏଥିରେ ସୁଧାର ପାଇଁ ୨୭ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଥିଲା। ପାକିସ୍ତାନ ଏଫ୍‌ଏଟିଏଫ୍‌ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନାହିଁ ଏବଂ କେବଳ ଲୋକ ଦେଖାଣିଆ ଭାବେ ଆତଙ୍କବାଦୀଙ୍କ ବିରୋଧରେ ଉପରଠାଉରିଆ ପଦକ୍ଷେପ ନେଇଛି। ପାକିସ୍ତାନ ନେଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରି ସେହି ଆଧାରରେ ପଦକ୍ଷେପ ନିଆଯିବ ବୋଲି ଏଫ୍‌ଏଟିଏଫ୍‌ ଆଜି ଘୋଷଣା କରିଛି।

ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବା ସମ୍ଭାବନା ବଳବତ୍ତର ହୋଇଛି। ପାକିସ୍ତାନର ଅର୍ଥ ବ୍ୟାପାର ମନ୍ତ୍ରୀ ହମାଦ ଆଝାରଙ୍କ ଉପସ୍ଥିତିରେ ଏଫ୍‌ଏଟିଏଫ୍‌ ସମୀକ୍ଷା କରୁଛି। ପାକିସ୍ତାନ ଏବେ କେବଳ ଚୀନ୍‌ର ଶରଣରେ ରହି ଖସିବାର ବାଟ ଦେଖୁଛି। ମାଲେସିଆ ଓ ତୁର୍କୀର ସମର୍ଥନ ମଧ୍ୟ ପାକିସ୍ତାନକୁ ମିଳିଛି। ଏଫ୍‌ଏଟିଏଫ୍‌ର ମାନଦଣ୍ଡ ଆଧାରରେ ପାକିସ୍ତାନ ଏହାର ୧୦ ପ୍ରତିଶତ ସର୍ତ୍ତ ମଧ୍ୟ ପୂରଣ କରିପାରି ନାହିଁ। ତେବେ ପାକିସ୍ତାନ କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତିବା ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ନେହୁରା ହୋଇଛି। ଥରେ କଳା ତାଲିକାଭୁକ୍ତ ହେଲେ ପାକିସ୍ତାନକୁ ଆଇଏମ୍‌ଏଫ୍‌ ଋଣ ମିଳିବ ନାହିଁ। ଏବେ ପାକିସ୍ତାନର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ଥିବା ବେଳେ କଳାତାଲିକାଭୁକ୍ତ ହେଲେ ଏହାର ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ି ପଡ଼ିବ ବୋଲି କୁହାଯାଇଛି । ଯଦି ଚୀନ୍‌ ପାକିସ୍ତାନକୁ କଳା ତାଲିକାଭୁକ୍ତ ହେବାରୁ ରୋକିବାରେ ସକ୍ଷମ ହୁଏ ତା’ହେଲେ ଏହା ପୂର୍ବ ଭଳି ଗ୍ରେ ଲିଷ୍ଟ୍‌ରେ ରହିବ।

ସମ୍ବନ୍ଧିତ ଖବର