ଏଫଏଟିଏଫ ବୈଠକ ଶେଷ ହୋଇଯାଇଥିବାରୁ ପାକିସ୍ତାନ ପଟୁ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବ : ସେନା

ନୂଆଦିଲ୍ଲୀ : ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ବୈଠକ ଶେଷ ହେବାପରେ ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ନିଜର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆହୁରି ତୀବ୍ର କରିବା ଆଶଙ୍କା କରାଯାଉଛି । ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ନିଜର ଜନତାଙ୍କଠାରୁ ପ୍ରବଳ ଚାପରେ ରହିଛି । ତେବେ ଏଫଏଟିଏଫ ବୈଠକ ଓ ବିଶ୍ୱଜନମତ ଯୋଗୁଁ ପାକିସ୍ତାନ ଚାହିଁକରି ମଧ୍ୟ କୌଣସି ଆତଙ୍କବାଦୀ କାଣ୍ଡ କରିପାରୁନଥିଲା । ଏବେ ଏଫଏଟିଏଫ ବୈଠକ ଶେଷ ହୋଇଥିବାରୁ ପାକିସ୍ତାନ ଉପରୁ ଚାପ ଶେଷ ହୋଇଯାଇଛି । ଏଣୁ ଆଗକୁ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅସ୍ତ୍ରବିରତି ଉଲ୍ଲଙ୍ଘନ ବଢିପାରେ ବୋଲି ଭାରତୀୟ ସେନା ଆଶଙ୍କା କରୁଛି ।
ଅଗଷ୍ଟ ୫ପରଠାରୁ ଏପର୍ଯ୍ୟନ୍ତ ପାକିସ୍ତାନ ମୋଟ ୮୨୩ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିଗୋଳା ବର୍ଷଣ କରିଛି ବୋଲି ସେନା କହିଛି । ଅର୍ଥାତ ଦିନକୁ ହାରାହାରି ୧୦ରୁ ଅଧିକ ଥର ଗୁଳିବର୍ଷଣ ହେଉଛି ।


ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଫଏଟିଏଫ ଗତ ବର୍ଷଠାରୁ ଗ୍ରେ (ଧୂଷର) ତାଲିକାରେ ରଖିଛି । ଚଳିତ ମାସରେ ହୋଇଥିବା ଏଫଏଟିଏଫ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଛି ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ଗତ ଜୁନରେ ହୋଇଥିବା ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତ ଏଫଏଟିଏଫ ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଥିଲା । କିନ୍ତୁ ଏହିୁ ୨୭ ସୁତ୍ରୀ କାର୍ଯ୍ୟ କରିବାରେ ପାକିସ୍ତାନ ବିଫଳ ହୋଇଥିଲା । ଫଳରେ ପାକିସ୍ତାନକୁ ଚେତାବନୀ ଦିଆଯାଇ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ସମ୍ବନ୍ଧିତ ଖବର