ନୂଆଦିଲ୍ଲୀ: ୨୦୧୯ରେ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣ। ୪୦ରୁ ଅଧିକ ଯବାନ ଏହି ଆକ୍ରମଣରେ ସହିଦ୍ ହୋଇଥିବା ବେଳେ ଏବେ ଏହିି ଘଟଣାକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଅନ୍ଲାଇନରୁ ବିସ୍ଫୋରକ ଅର୍ଡର କରିଥିଲେ ବୋଲି ଜଣାପଡ଼ିଛି। ବିଶ୍ୱରେ ଆତଙ୍କବାଦ ପାଣ୍ଠି ଉପରେ ନଜର ରଖୁଥିବା ସଂଗଠନ ଏଫଏଟିଏଫ୍(ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ)ର ନୂତନ ରିପୋର୍ଟରେ ଏହି ବଡ଼ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ଅସ୍ତ୍ରଶସ୍ତ୍ର କିଣିବା ଏବଂ ପାଣ୍ଠି ପାଇଁ ଇ-କମର୍ସ ପ୍ଲାଟଫର୍ମ ଏବଂ ଅନଲାଇନ୍ ପେମେଣ୍ଟ ସେବା ବ୍ୟବହାର କରୁଛନ୍ତି।
ଏଫଏଟିଏଫ୍ ଭାରତର ଦୁଇଟି ପ୍ରମୁଖ ଆତଙ୍କୀ ଘଟଣା ୨୦୧୯ରେ ପୁଲୱାମା ଆକ୍ରମଣ ଏବଂ ୨୦୨୨ରେ ଗୋରଖନାଥ ମନ୍ଦିର ଆକ୍ରମଣକୁ ଉଲ୍ଲେଖ କରି କହିଛି ଯେ, ଏହି ଘଟଣାରେ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପୁଲୱାମା ଆକ୍ରମଣରେ ଆଇଡି ତିଆରି କରିବା ପାଇଁ ଆମାଜନରୁ ଆଲୁମିନିୟମ ପାଉଡର ଅର୍ଡର କରାଯାଇଥିଲା, ଯାହା ବିସ୍ଫୋରଣର ଶକ୍ତିକୁ ବହୁଗୁଣିତ କରିଥିଲା। ଗୋରଖନାଥ ମନ୍ଦିର ଆକ୍ରମଣରେ, ଅଭିଯୁକ୍ତ ପେ’ପଲ୍ ମାଧ୍ୟମରେ ପ୍ରାୟ ୬.୭ଲକ୍ଷ ବିଦେଶକୁ ପଠାଇଥିଲା ଏବଂ ଭିପିଏନ ସେବା ବ୍ୟବହାର କରି ନିଜର ସ୍ଥାନ ଲୁଚାଇ ଦେଇଥିଲା। ଆତଙ୍କବାଦୀମାନେ ଏବେ ଇ-କମର୍ସରୁ ୩ଡି ପ୍ରିଣ୍ଟର, ରାସାୟନିକ ପଦାର୍ଥ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ମଗାଉଛନ୍ତି।