ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ପ୍ରଶ୍ନ – ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ମଦ୍ରାସାଗୁଡ଼ିକ ବିରୁଦ୍ଧରେ କ’ଣ ପଦକ୍ଷେପ ନେଇଛ ଜଣାଅ

ପ୍ୟାରିସ : ଆତଙ୍କବାଦ ଓ ଅନ୍ୟ ବେଆଇନ ଅର୍ଥ ଯୋଗାଣ ଉପରେ ନଜର ରଖୁଥବା ଅନ୍ତର୍ଜାତୀୟ ସଂସ୍ଥା ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ୧୫୦ଟି ପ୍ରଶ୍ନ ପଚାରିଛି । ଆତଙ୍କବାଦକୁ ନିର୍ମୁଳ କରିବାକୁ କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଏସବୁ ପ୍ରଶ୍ନ ପଚରା ଯାଇଛି ।

ପୂର୍ବରୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ୨୭ଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲା । ଏହାର ରିପୋର୍ଟ ଗତ ୬ ତାରିଖରେ ପାକିସ୍ତାନ ଦାଖଲ କରିଥିଲା । ଏବେ ଆଉ ୧୫୦ଟି ପ୍ରଶ୍ନ ପଚାରିଛି ଏଫ୍‌ଏଟିଏଫ୍‌ । ବିଭିନ୍ନ ଆତଙ୍କବାଦୀ ସଂଗଠନମାନଙ୍କ ଦ୍ୱାରା ପରିଚାଳିତ ମଦ୍ରାସାଗୁଡ଼ିକ ବିରୁଦ୍ଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ କୁହାଯାଇଛି । ଏସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିଲେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ତେଚାବନୀ ଦେଇଛି ଏଫ୍‌ଏଟିଏଫ୍‌ ।

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ଗତ ବର୍ଷଠାରୁ ଗ୍ରେ (ଧୂଷର) ତାଲିକାରେ ରଖିଛି ଏଫ୍‌ଏଟିଏଫ୍‌ । ଗତ ଅକ୍ଟୋବର ମାସରେ ହୋଇଥିବା ଏଫଏଟିଏଫ୍‌ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଗତ ଜୁନରେ ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତ ଏଫଏଟିଏଫ୍‌ ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଥିଲା । କିନ୍ତୁ ଏହିୁ ୨୭ ସୁତ୍ରୀ କାର୍ଯ୍ୟ କରିବାରେ ପାକିସ୍ତାନ ବିଫଳ ହୋଇଥିଲା । ଫଳରେ ପାକିସ୍ତାନକୁ ଚେତାବନୀ ଦିଆଯାଇ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ସମ୍ବନ୍ଧିତ ଖବର