ବାପା-ପୁଅ କେ‌ଳେଙ୍କାରି, ରେବନ୍ନା ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ୍‌ ବିଧାୟକ ଏଚ୍‌ଡି ରେବନ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ଅପହରଣ ମାମଲାରେ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ତାଙ୍କୁ ଆଜି ଗିରଫ କରିଛି। ଜେଡିଏସ୍ ବିଧାୟକଙ୍କୁ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ବାସଭବନରୁ ଗିରଫ କରାଯାଇଛି। ଅପହରଣ ମାମଲାରେ ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ପାଇଁ ଏଚ୍‌ଡି ରେବନ୍ନାଙ୍କ ଅନୁରୋଧକୁ ବେଙ୍ଗାଲୁରୁ ଅଦାଲତ ଖାରଜ କରିବା ପରେ କର୍ଣ୍ଣାଟକ ପୁଲିସ ଟିମ୍ ତାଙ୍କୁ ହେପାଜତକୁ ନେଇଥିଲା।ଏଚ୍‌ଡି ରେବନ୍ନା ଜଣେ ୨୦ ବର୍ଷୀୟ ଯୁବକଙ୍କ ମା’ଙ୍କୁ ଅପହରଣ କରିଥିବା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀ ରାଜୁ ତାଙ୍କ ମା’ଙ୍କ ସହ ରେବନ୍ନାଙ୍କ ଫାର୍ମ ହାଉସରେ କାମ କରୁଥିଲେ।

ଗତ ଏପ୍ରିଲ ୨୯ ତାରିଖରେ ରେବନ୍ନାଙ୍କ ସମ୍ପର୍କୀୟ ସତୀଶ ବାବାନ୍ନା ମହିଳାଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଥିଲେ ଏବଂ କାଲେନାଲ୍ଲୀରେ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ରାଜଶେଖରଙ୍କ ଫାର୍ମ ହାଉସରେ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଥିଲା। ଆଜି ସକାଳେ କର୍ଣ୍ଣାଟକ ପୁଲିସ ମହିଳାଙ୍କୁ ଉଦ୍ଧାର କରିଥିଲା। ଜେଡିଏସ୍ ବିଧାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୩୬୪-ଏ (ଅପହରଣ) ଏବଂ ଧାରା ୩୬୫ (ବଳପୂର୍ବକ ଅଟକାଇବା) ଅଧୀନରେ ମାମଲା ରୁଜୁ କରାଯାଇଥିଲା ଏବଂ କର୍ଣ୍ଣାଟକ ପୋଲିସ ଜାମିନ ବିହୀନ ଧାରା ପ୍ରୟୋଗ କରିଥିଲା। ସୂଚନାଯୋଗ୍ୟ, କର୍ଣ୍ଣାଟକର ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ ମାମଲାରେ ମଧ୍ୟ ଏଚ୍‌ଡି ରେବନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ବଳ ରେବନ୍ନା ଅଭିଯୁକ୍ତ ଅଛନ୍ତି।

ସମ୍ବନ୍ଧିତ ଖବର