ପୁଅର ସ୍କୁଲ ଦେୟ ବାନ୍ଧିବାକୁ ଡାକ୍ତର ବାପା ଛାପିଲେ ନକଲି ନୋଟ

ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ପୁଲିସ ଜାଲ ନୋଟ ଛାପୁଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି | ଏହି ଗ୍ୟାଙ୍ଗରେ ଜଣେ ଆୟୁର୍ବେଦିକ ଡାକ୍ତର ଥିବାର ଜଣାପଡିଛି | ତାଙ୍କ ନେତୃତ୍ୱରେ ହିଁ ନକଲି ନୋଟ ଛପାଯାଉଥିଲା ବୋଲି ପୁଲିସ କହିଛି | ପୁଲିସ ଚଢ଼ାଉ ସମୟରେ ୧୧ ହଜାର ଟଙ୍କାର ନକଲି ନୋଟ ଜବତ କରିଛି | ତେବେ ଜାଲ ନୋଟ ଛାପିବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଅଭିଯୁକ୍ତ ଡାକ୍ତର ଜଣକ କହିଛନ୍ତି ଯେ ନିଜ ପିଲାର ସ୍କୁଲ ଦେୟ ପାଇଁ ସେ ଜାଲ ନୋଟ ଛାପୁଥିଲେ | ତେବେ ଜାଲ ନୋଟ ଛାପିବା ଘଟଣାରେ ପୁଲିସ ୨୦୧୯ ମସିହା ସେପ୍ଟେମ୍ବର ମାସରେ ବିକ୍ରମ ଚୌହାନ ଓ ରାଜେଶ ଗୌତମଙ୍କୁ ଗିରଫ କରିଥିଲା |

Photo-NDTV

ଏମାନଙ୍କ ପାଖରୁ ପାଖାପାଖି ୬ ଲକ୍ଷ ଟଙ୍କାର ନକଲି ନୋଟ ସହ ପ୍ରିଣ୍ଟର ମେସିନ ସମେତ ବନ୍ଧୁକ ଜବତ କରାଯାଇଥିଲା | ଦୁଇ ଜଣ ଅଭିଯୁକ୍ତ ସେମାନଙ୍କ ମୁଖ୍ୟ ବିଷୟରେ ପୁଲିସକୁ କହିଥିଲେ | ତେବେ ଘଟଣାର ମାଷ୍ଟରମାଇଣ୍ଡ ଡାକ୍ତର ସଞ୍ଜୟ ଶର୍ମା ଫେରାର ହୋଇଯାଇଥିଲେ | ଆଜି ଡାକ୍ତରଙ୍କୁ ଗିରଫ କରାଯାଇଥିବା ବେଳେ ସେ ପୁଲିସକୁ ଜାଲ ନୋଟ ଛାପିବାର ଅସଲି କାରଣ କହିଥିଲେ |

ଡାକ୍ତର ସଞ୍ଜୟ ଶର୍ମାଙ୍କ କହିବା ମୁତାବକ କିଛି ଦିନ ଧରି ତାଙ୍କ କ୍ଲିନିକ ଭଲ ଭାବେ ଚାଲୁ ନଥିଲା, ଯାହାକୁ ନେଇ ତାଙ୍କ ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଥିଲା | ସ୍ଥିତି ଏମିତି ହୋଇଥିଲା ଯେ ନିଜ ପୁଅର ସ୍କୁଲ ଦେୟ ଦେବାକୁ ମଧ୍ୟ ତାଙ୍କ ପାଖରେ ସମ୍ବଳ ନଥିଲା | ଶେଷରେ ଏଥିପାଇଁ ସେ ଜାଲ ନୋଟ ଛାପିବାକୁ ସ୍ଥିର କରିଥିଲେ | ଏଥିପାଇଁ ସେ ବିକ୍ରମ ଚୌହାନ ଓ ରାଜେଶ ଗୌତମଙ୍କ ସାହାଯ୍ୟ ନେଇଥିଲେ |

ସମ୍ବନ୍ଧିତ ଖବର