ଭାଗ୍ୟବାନ୍ ପିତାପୁତ୍ର : ବାପା ‘୪୬’ରେ ପ୍ରଧାନମନ୍ତ୍ରୀ, ପୁଅ ‘୩୮’ରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜନୀତିରେ ସବୁ କିଛି ସମ୍ଭବ। ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଏଠାରେ ଜନାଦେଶକୁ ଦବାଇ ଦିଆଯାଏ। ଇତିହାସର ପୃଷ୍ଠା ଓଲଟାଇଲେ ଏମିତି କିଛି ଚିତ୍ର ଦେଖିବାକୁ ମିଳେ, ଯେଉଁଥିରେ ଭାରତୀୟ ଗଣତନ୍ତ୍ରିକ ବ୍ୟବସ୍ଥାର ପୁନଃ ସମୀକ୍ଷା ହେବା ଜରୁରି ପରି ଲାଗେ। ମାତ୍ର ସମଗ୍ର ବିଶ୍ୱରେ ଭାରତୀୟ ଗଣତନ୍ତ୍ରିକ ପରମ୍ପରା ଯେ ନିଆରା ଏହାର ଚରିତ୍ରକୁ ତର୍ଜମା କଲେ ଜଣାପଡେ। ତେବେ ଏ ପରିପ୍ରେକ୍ଷୀରେ କର୍ଣ୍ଣାଟକ ରାଜନୀତିର ଏକ ଚର୍ଚ୍ଚିତ ପରିବାର ହେଉଛନ୍ତି ଦେବେଗୌଡ଼ାଙ୍କ ପରିବାର। ଯେତେବେଳେ ଦେଶ ବା ରାଜ୍ୟରେ ହୋଇଥିିବା ନିର୍ବାଚନରେ ଜନତା ଖଣ୍ଡିିତ ଜନାଦେଶ ଦେଇଛନ୍ତି, ସେତେବେଳେ ଏହି ଖଣ୍ଡିତ ଜନାଦେଶର ସବୁଠାରୁ ବେଶି ଫାଇଦା ପାଇଛନ୍ତି ଏହି ଦେବେଗୌଡ଼ା ପରିବାର।

୧୯୯୬ ମସିହା ସାଧାରଣ ନିର୍ବାଚନରେ କୌଣସି ରାଜନୈତିକ ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା। ଫଳରେଏହାର ସୁଯୋଗ ନେଇଥିଲେ ହରଦନହଲ୍ଲୀ ଦେବେଗୌଡ଼ା ଦେବେଗୌଡ଼ା ବା ଏଚ ଡି ଦେବେଗୌଡ଼ା। ଦେଶର ୫୪୩ଟି ଲୋକସଭା ଆସନରୁ ମାତ୍ର ୪୬ଟି ଆସନରେ ବିଜୟୀ ହୋଇ ତୃତୀୟ ସ୍ଥାନରେ ଥିବା ଜନତା ଦଳ କେନ୍ଦ୍ରରେ କଂଗ୍ରେସ ଦଳର ସମର୍ଥନରେ ସରକାର ଗଢ଼ିଥିଲା। ଆଉ ୪୬ ସଦସ୍ୟ ବିଶିଷ୍ଟ ଜନତାଦଳର ନେତା ଭାବେ ଦେବେଗୌଡ଼ା ହେଲେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ।

ଘଟଣାର ୨୨ ବର୍ଷ ପରେ ଇତିହାସର ପୁନରାବୃତ୍ତି ଘଟିଛି। କର୍ଣ୍ଣାଟକ ପାଇଁ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଛି। ଲୋକେ କ୍ଷମତାରେ ଥିବା କଂଗ୍ରେସ ଦଳକୁ ପ୍ରତ୍ୟାଖାନ କରି ଏହାକୁ ମାତ୍ର ୭୮ଟି ବିଧାନସଭା ଆସନରେ ବିଜୟୀ ହେବାର ସୁଯୋଗ ଦେଇଛନ୍ତି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ହେଉଛି ସମସ୍ତ ୨୨ଟି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଦେବେଗୌଡ଼ାଙ୍କ ଜନତା ଦଳ (ଏସ) ମାତ୍ର ୩୮ଟି ଆସନରେ ବିଜୟୀ ହୋଇଛି। ତେବେ ବିଜେପିକୁ କ୍ଷମତା ଠାରୁ ଦୂରରେ ରଖିବା ଓ ନିଜେ କ୍ଷମତା ଭୋଗ କରିବା ପାଇଁ କଂଗ୍ରେସ ଦଳର ମହତ୍ୱାକାଂକ୍ଷା କର୍ଣ୍ଣାଟକ ରାଜନୀତିରେ ଏକ ନିଆରା ଅବସ୍ଥା ସୃଷ୍ଟି କରିଛି। କଂଗ୍ରେସ ଜନତା ଦଳ ଏସକୁ ମୁଖ୍ୟମନ୍ତ୍ରୀ ପଦର ଲାଳସା ଦେଖାଇ ପୁଣି ଥରେ କର୍ଣ୍ଣାଟକରେ କ୍ଷମତା ଉପଭୋଗ କରିବାର ସୁଯୋଗ ପାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ବାପା ଏଚଡି ଦେବେଗୌଡ଼ା ମାତ୍ର ୪୬ଟି ଲୋକସଭା ସଦସ୍ୟଙ୍କ ଦଳକୁ ନେଇ ଦେଶର ପ୍ରଧାନମନ୍ତ୍ରୀ ହେବା ପରି ପୁଅ ଏଚଡି କୁମାର ସ୍ୱାମୀ ମାତ୍ର ୩୮ ଜଣ ବିଧାୟକଙ୍କୁ ନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର