ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କର ୪ ଝିଅଙ୍କ ମୃତଦେହ ସେମାନେ ରହୁଥିବା ଭଡ଼ାଘରୁ ମିଳିଛି। ରଙ୍ଗପୁରୀ ଅଞ୍ଚଳରେ ଶୁକ୍ରବାର ସକାଳେ ସମସ୍ତ ୫ ଜଣଙ୍କ ମୃତଦେହ ମିଳିଛି। ମୃତକମାନେ ହେଉଛନ୍ତି ହୀରା ଲାଲ୍‌ ଏବଂ ତାଙ୍କ ଝିଅ ନିତୁ (୧୮), ନିଶି (୧୫), ନିରୁ (୧୦) ଓ ନିଧି (୮)। ପୁଲିସ ଅନୁଯାୟୀ ହୀରା ଲାଲ୍‌ କାଠ କାମ କରନ୍ତି। ତାଙ୍କ ପତ୍ନୀଙ୍କର ଗତ ଗୋଟିଏ ବର୍ଷ ହେବ କ୍ୟାନ୍‌ସରରେ ମୃତ୍ୟୁ ହୋଇଯିବା ପରେ ସେ ତାଙ୍କ ଝିଅମାନଙ୍କ ସହ ରହୁଥିଲେ। ସମସ୍ତ ୪ ଜଣ ଝିଅ ଭିନ୍ନକ୍ଷମ। ନିତୁଙ୍କର ଆଖିକୁ ଦେଖାଯାଉନଥିବା ବେଳେ ନିଶି ଚାଲିପାରୁନାହାନ୍ତି। ଅନ୍ୟ ୨ ଜଣ ଝିଅ ମଧ୍ୟ ଭିନ୍ନକ୍ଷମ। ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ ହୀରା ଲାଲ୍‌ ସେପ୍ଟେମ୍ବର ୨୪ ତାରିଖରେ ଏକ ମିଠା ପ୍ୟାକେଟ୍‌ ଧରି ତାଙ୍କ ଘରକୁ ପଶିଥିଲେ। କିନ୍ତୁ ଏହାପରେ କେହି ଆଉ ତାଙ୍କ ଘରକୁ ଯାଇନଥିଲେ କି ଫେରିନଥିଲେ। ଘରୁ ପଚା ଗନ୍ଧ ବାହାରିବାରୁ ପାଖ ଲୋକ ପୁଲିସରେ ଖବର ଦେଇଥିଲେ।

Advertisment

ପୁଲିସ ଘଟଣାସ୍ଥଳରେ ପହଞ୍ଚିବ‌ାବେଳକୁ ଘର ଭିତର ପଟୁ ବନ୍ଦ ଥିଲା। ପୁଲିସ କବାଟ ଭାଙ୍ଗି ଘର ଭିତରକୁ ପଶିବାପରେ ୫ ଜଣଙ୍କ ମୃତଦେହ ପାଇଥିଲା। ବେଡରୁମ୍‌ରେ ୪ ଝିଅଙ୍କ ମୃତଦେହ ପଡ଼ିଥିବା ବେଳେ ସେମାନଙ୍କ ବାପାଙ୍କ ମୃତଦେହ ଅନ୍ୟ ଏକ ରୁମ୍‌ରେ ପଡ଼ିଥିଲା। ସମସ୍ତଙ୍କ ପାଟିରୁ ଫେଣ ବାହାରିଥିବା ଦେଖିବାକୁ ମିଳିଛି। ସେମାନଙ୍କ ବେକ ଏବଂ ଅଣ୍ଟାରେ ନାଲି ସୁତା ଗୁଡ଼ାଯାଇଛି। ମର ଶରୀର ନିକଟରୁ ବିଷ, ୫ଟି ଗ୍ଲାସ ଏବଂ ମିଠା ପ୍ୟାକେଟ୍‌ ମିଳିଥିଲା। ମିଠା ପ୍ୟାକେଟ୍‌କୁ ଫରେନ୍ସିକ୍‌ ଟେଷ୍ଟ୍‌ ପାଇଁ ପଠାଯାଇଛି। ହୀରାଲାଲ୍‌ଙ୍କ ପଡ଼ୋଶୀଙ୍କ କହିବା ଅନୁଯାୟୀ ପତ୍ନୀ ମରିଯିବା ପରେ ହୀରାଲାଲ୍‌ କାହା ସହ ବେଶୀ କଥା ହେଉ ନ ଥିଲେ। ସେ ସର୍ବଦା ତାଙ୍କ ଝିଅମାନଙ୍କର ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ୍‌ ନେବା ଆଣିବାରେ ବ୍ୟସ୍ତ ରହନ୍ତି। ଅତ୍ୟଧିକ ଚାପରେ ହୀରାଲାଲ୍‌ ନିଜ ୪ ଝିଅଙ୍କୁ ବିଷ ଦେବାପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।