ସୁଲତାନପୁର: ପାଠପଢ଼ିବା ପାଇଁ କୌଣସି ବୟସ ସୀମା ନିଶ୍ଚିତ ହୋଇନାହିଁ। ପାଠ ପଢ଼ିବା ପ୍ରତି ଆଗ୍ରହ ଥିଲେ ମଣିଷ ଯେକୌଣସି ବୟସରେ ସଫଳତା ପାଇପାରିବ। ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବାପା ଝିଅ ସହିତ ମିଶି ପାଠପଢ଼ି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ବାପା ଓ ଝିଅ ଉଭୟ ସରକାରୀ ଚାକିରି ପାଇ ଯାଇଛନ୍ତି। ଏହି ଖବର ଏବେ ଚର୍ଚ୍ଚାର ପରିସରରେ ରହିଛି। ସରକାରୀ ଚାକିରି ପାଇଥିବା ବାପା ରବୀନ୍ଦ୍ର ତ୍ରିପାଠୀ ଜଣେ ଅବସରପ୍ରାପ୍ତ ସେନାକର୍ମୀ। ୨୦୧୯ରେ ସେ ସେନାରୁ ଅବସର ନେଇଥିଲେ। ସେନାରୁ ଅବସର ନେବା ପରେ ରବୀନ୍ଦ୍ର ତ୍ରିପାଠୀଙ୍କୁ ଘରେ ଖାଲିଖାଲି ବସିବାକୁ ଭଲ ଲାଗି ନଥିଲା। ତେଣୁ ଘରେ ଯେତେବେ‌ଳେ ଝିଅ ପ୍ରିୟା ତ୍ରିପାଠୀ ପାଠପଢ଼ୁ ଥାଆନ୍ତି ତାଙ୍କ ପାଖରେ ଯାଇ ଉକ୍ତ ପାଠକୁ ପଢ଼ିବା ଆରମ୍ଭ କରିଥିଲେ। ଯେଉଁ ପାଠ ଜାଣି ପାରନ୍ତି ନାହିଁ ସେ ଝିଅକୁ ପଚାରି ବୁଝି ଥାଆନ୍ତି।

Advertisment

ଏହାରି ଭିତରେ ବାପ ଓ ଝିଅ ଲକ୍ଷ୍ମୌରେ ରାଜସ୍ବ ଲେଖପାଲ ପରୀକ୍ଷା ଦେଇଥିଲେ। ଉତ୍ତରପ୍ରଦେଶ ଅଧୀନ ସେବା ଚୟନ ଆୟୋଗ ଦ୍ବାରା ଆୟୋଜିତ ଆକାଉଣ୍ଟାଣ୍ଟ ପରୀକ୍ଷାର ଫଳାଫଳ ସାମ୍ନାକୁ ଆସିଥିଲା। ଏଥିରେ ବାପ ଓ ଝିଅ କମାଲ କରିଥିଲେ। ଦୁହେଁ ଏକାସହିତ ସରକାରୀ ଚାକିରି ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ। ରୀବନ୍ଦ୍ର ତ୍ରିପାଠୀ ଏହି ସଫଳତାକୁ ନେଇ କହିଛନ୍ତି, ସେନାରେ ୨୮ବର୍ଷ ଧରି ସେବା ଦେବା ପରେ ୨୦୧୯ରେ ଅବସର ନେଇଥିଲି। ଏହାପ‌ରେ ଝିଅ ପ୍ରିୟା ତ୍ରିପାଠୀ ଓ ପୁଅ ଦୀପେନ୍ଦ୍ର ତ୍ରିପାଠୀଙ୍କ ସହିତ ଲକ୍ଷ୍ମୌରେ ବ୍ୟାଙ୍କିଂ ସେକ୍ଟରରେ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲି। ମୁଁ ଝିଅ ସହିତ ଏସବିଆଇ ପିଓର ପ୍ରି ପରୀକ୍ଷା ବି ପାସ କରିଥିଲି। କିନ୍ତୁ ମୁଖ୍ୟ ପରୀକ୍ଷାରେ ନିରାଶ ହୋଇଯାଇଥିଲି। ୨୦୨୧ରେ ଉତ୍ତରପ୍ରଦେଶ ପୁଲିସ ସବଇନ୍ସପେକ୍ଟର ପଦ ପାଇଁ ମୋର ଚୟନ ହୋଇଥିଲା। ଏବେ ଲେଖପାଲ ଭାବେ ସରକାରୀ ଚାକିରି ପାଇବା ମୋ ପାଇଁ ଗର୍ବର ବିଷୟ।