ରାୟପୁର: ଛତିଶଗଡର ବସ୍ତରରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କରାଯାଉଛି। ବିଜାପୁର ଜିଲ୍ଲାରେ କ୍ରସ ଫାୟାରିଂରେ ଜଣେ ଶିଶୁ କନ୍ୟାକୁ ଗୁଳି ମାରିବା ମାମଲାରେ ଏପର୍ଯ୍ୟନ୍ତ ନ୍ୟାୟ ପ୍ରଦାନ କରାଯାଇ ନଥିବା ବେଳେ ଏମିତି ଆଉ ଏକ ଘଟଣା ଘଟିଛି। କ୍ରସ୍ ଫାୟାରିଂରେ ଜଣେ ନିରୀହ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଜାନୁଆରି ୩୦ ତାରିଖ ସକାଳେ ଇନ୍ଦ୍ରାବତୀ ନଦୀ ପାର୍ଶ୍ୱରେ ଥିବା ଗାଁରେ ପୁଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ରମେଶ ନାମକ ଜଣେ ଗ୍ରାମବାସୀଙ୍କ କ୍ରସର ଫାୟାରିଂରେ ମୃତ୍ୟୁ ହୋଇଥିଲା। ମୃତ ରମେଶ ଏସଟିଏଫ ଯବାନଙ୍କ ଭାଇ ବୋଲି ଜଣାପଡ଼ିଛି।
ମୃତ ରମେଶଙ୍କ ପତ୍ନୀ କହିଛନ୍ତି, ‘ଦେଢ଼ ବର୍ଷ ପୂର୍ବେ ରମେଶଙ୍କ ସହ ମୋର ବିବାହ ହୋଇଥିଲା। ଚଳିତ ବର୍ଷ ଜାନୁଆରିରେ ଆମର ଏକ କନ୍ୟା ସନ୍ତାନ ଜାତ ହୋଇଥିଲା। କନ୍ୟା ସନ୍ତାନ ଜନ୍ମ ପରେ ରମେଶ ବହୁତ ଖୁସିଥିଲେ। ଆଜି ମୋ ଝିଅକୁ ୧୨ଦିନ ହେଉଥିବା ବେଳେ ଯେଉଁଦିନ ଘରେ ତାର ଛଟି ପୂଜା ଚାଲିଥିଲା ସେଦିନ ତାର ବାପାଙ୍କ ମୃତଶରୀର ଆସି ପହଞ୍ଚିଥିଲା। ଏହି ଘଟଣା ବଖାଣିବାକୁ ମୋର ଧୈର୍ଯ୍ୟ କି ଶକ୍ତି ନାହିଁ। ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ମୋର ଝିଅର ଭବିଷ୍ୟତ କ’ଣ ହେବ କିଛି ବୁଝି ପାରୁନାହିଁ। ବିନା କାରଣରେ ମୋ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ମୋ ସ୍ବାମୀକୁ ତ ଆପଣମାନେ ଚାହିଁଲେ ଫେରାଇ ପାରିବେ ନାହିଁ କିନ୍ତୁ ମୋତେ ନ୍ୟାୟ ଆବଶ୍ୟକ।’