ଝିଅକୁ ଗଣଦୁଷ୍କର୍ମର ୨୪ ଘଣ୍ଟା ନ ପୂରୁଣୁ ରହସ୍ୟଜନକ ଅବସ୍ଥାରେ ମିଳିଲା ବାପାର ମୃତଦେହ

କାନପୁର: ପ୍ରଥମେ ଝିଅକୁ ଗଣଦୁଷ୍କର୍ମ ଆଉ ତା ପରେ ରହସ୍ୟଜନକ ଅବସ୍ଥାରେ ମିଳିଲା ବାପାର ମୃତଦେହ | ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ କାନପୁରର ସଜେତିରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଆଉ ଏହି ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୀଡିତାଙ୍କ ବାପାଙ୍କ ମୃତଦେହ ମଧ୍ୟ ରହସ୍ୟଜନକ ଅବସ୍ଥାରେ ମିଳିଛି | ରିପୋର୍ଟ ଅନୁଯାୟୀ କାନପୁରର ସଜେତିରେ ୧୩ ବର୍ଷୀୟ ଝିଅଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଥିଲା |

ଆଉ ଘଟଣାକୁ ୨୪ ଘଣ୍ଟା ପୂରିନଥିବାବେଳେ ତାଙ୍କ ବାପାଙ୍କୁ ଏକ ଅଜଣା ଟ୍ରକ ଧକ୍କା ଦେଇ ଚାଲିଯାଇଥିଲା | ଘାଟମପୁରର ମେଡିକାଲ ବାହାରେ ନାବାଳିକାଙ୍କ ବାପା ଚାଲିଚାଲି ଯାଉଥିବାବେଳେ ଏକ ଟ୍ରକ ଆସି ପଛପଟୁ ଧକ୍କା ଦେଇଥିଲା | ଆଉ ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ରହସ୍ୟଜନକ ଅବସ୍ଥାରେ ମୃତଦେହ ମିଳିବା ପଛରେ ସେହି ବ୍ୟକ୍ତିମାନଙ୍କର ସମ୍ପୃକ୍ତି ରହିଛି ଯେଉଁମାନେ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିଲେ |

ପରିବାର ସଦସ୍ୟଙ୍କ ସହ ଗାଁର ଅନ୍ୟ ଲୋକମାନେ କାନପୁର-ସାଗର ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଭିଯୋଗ ହୋଇଛି ଯେ ଗାଁର ଗୋଲୁ ଯାଦବ ଏବଂ ଦୀପୁ ଯାଦବ ଜଣେ ୧୩ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ। ପୁଲିସ ଏହି ଘଟଣା ଉପରେ ନଜର ରଖିଛି। ପୀଡିତାଙ୍କ ପରିବାରର ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର