ମୁମ୍ବାଇ: ମହାରାଷ୍ଟ୍ର ସୀମାବର୍ତ୍ତୀ ବୁରହାନପୁର ଜିଲ୍ଲାରେ ଏକ ଚାଂଚଲ୍ୟକର ହତ୍ୟାକାଣ୍ଡର ଖୁଲାସା ହୋଇଛି | ଜଣେ ଯୁବକଙ୍କ ନିର୍ବନ୍ଧ ହେବା ପରେ ବି ଅନ୍ୟ ଜଣେ ଝିଅ ସହିତ ଚାଟିଂ ଜାରି ରଖିଥିବାରୁ ତାଙ୍କୁ ହତ୍ୟା କରାଯାଇଛି। ତେବେ ତାଙ୍କୁ କୌଣସି ଶତ୍ରୁ କିମ୍ବା ଅଜ୍ଞାତ ବ୍ୟକ୍ତି ହତ୍ୟା କରିନଥିଲେ ବରଂ ତାଙ୍କ ପିତାମାତା ଏବଂ ଭଉଣୀ ତାଙ୍କୁ ହତ୍ୟା କରିଛନ୍ତି | ସୂଚନା ମୁତାବକ ବୁରହାନପୁର ଜିଲ୍ଲାର ନିମ୍ବୋଲା ପୁଲିସ ଷ୍ଟେସନ ଅଞ୍ଚଳର ଧୁଲକୋଟ ଗାଁରେ ଭୀମ ସିଂ, ତାଙ୍କ ପତ୍ନୀ ଜମୁନା ବାଇ, ଝିଅ କୃଷ୍ନା ଏବଂ ପୁଅ ରାମକୃଷ୍ଣ ରହୁଥିଲେ । ଭୀମ ସିଂ ବିଦ୍ୟାଳୟର ଶିକ୍ଷକ ଥିବାବେଳେ ତାଙ୍କ ପୁଅ ରାମକୃଷ୍ଣ କିଛି କରୁନଥିଲେ। ଭୀମ, ତାଙ୍କ ପୁଅ ରାମକୃଷ୍ଣଙ୍କ ନିର୍ବନ୍ଧ କରିଦେଇଥିଲେ।
ଏହା ପରେ ମଧ୍ୟ ରାମକୃଷ୍ଣ ଅନ୍ୟ ଝିଅଙ୍କ ସହିତ ଦୀର୍ଘ ସମୟ ଧରି ଚାଟିଂ ଜାରି ରଖିଥିଲେ ଏବଂ ଯଦି ପରିବାର ସଦସ୍ୟ ତାଙ୍କୁ କୌଣସି କାମ କରିବାକୁ କହୁଥିଲେ, ତେବେ ସେ ତାହା କରୁନଥିଲେ | ପରିବାର ସଦସ୍ୟ ନିର୍ବନ୍ଧ ପରେ ରାମକୃଷ୍ଣଙ୍କୁ ଅନ୍ୟ ଝିଅଙ୍କ ସହିତ କଥାବାର୍ତ୍ତା ହେବାକୁ ମନା କରୁଥିଲେ ବି ସେ ଶୁଣୁନଥିଲେ । ପ୍ରାୟ ଦୁଇ ସପ୍ତାହ ପୂର୍ବେ ରାମକୃଷ୍ଣଙ୍କ ନିଖୋଜ ରିପୋର୍ଟ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପୁଲିସ ନିକଟରେ ଦାଖଲ କରାଯାଇଥିଲା। ଆଉ ଗତକାଲି ପୁଲିସ ନଦୀରେ ଭାସୁଥିବା ଅବସ୍ଥାରେ ରାମକୃଷ୍ଣଙ୍କ ମୃତଦେହ ଜବତ କରିଥିଲା ।
ମୃତ ଦେହର ହାତ ପଛରେ ବନ୍ଧା ହୋଇଥିଲା। ପୁଲିସ କହିଛି ଯେ ରାମକୃଷ୍ଣଙ୍କୁ ତାଙ୍କ ପିତାମାତା ଏବଂ ଭଉଣୀ ବ୍ୟତୀତ ଅନ୍ୟ କେହି ହତ୍ୟା କରିନାହାଁନ୍ତି। ସେମାନେ ତାଙ୍କୁ ଘର ଭିତରେ ହତ୍ୟା କରିଥିଲେ। ତାଙ୍କ ହାତ ବାନ୍ଧି ମୃତଦେହ ନଦୀରେ ଫିଙ୍ଗି ଦିଆଯାଇଥିଲା। ପୁଲିସ ରାମକୃଷ୍ଣଙ୍କ ପିତା, ମାତା ଏବଂ ଭଉଣୀଙ୍କୁ ଗିରଫ କରିଛି।