ଚେନ୍ନାଇ: ତାମିଲନାଡ଼ୁର କାଲ୍ଲାକୁରିଚି ସ୍ଥିତ ଏକ ଘରୋଇ ସ୍କୁଲ୍ରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ହିଂସା ଓ ଆନ୍ଦୋଳନ ହୋଇଛି। ଏବେ ମୃତକ ନାବାଳିକାଙ୍କ ବାପା ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଝିଅର ଶରୀର ବ୍ୟବଚ୍ଛେଦ ପ୍ୟାନେଲ୍ରେ ସେ ଚୟନ କରିବା ଡାକ୍ତରଙ୍କ ଉପସ୍ଥିତକୁ ଅନୁମତି ଦେବାକୁ ସେ କୋର୍ଟରେ ନିବେଦନ କରିଛନ୍ତି।
କନିୟାମୁର ଶକ୍ତି ମାଟ୍ରିକୁଲେସନ ସ୍କୁଲ୍ର ହଷ୍ଟେଲ୍ ପରିସରରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କର ଚଳିତ ମାସ ୧୩ ତାରିଖରେ ମୃତ୍ୟୁ ହୋଇଥିଲା। ୧୩ ତାରିଖରୁ ଆନ୍ଦୋଳନ ହୋଇଥିଲେ ସୁଦ୍ଧା ରବିବାର ଦିନ ଏହି ଆନ୍ଦୋଳନ ହିଂସାର ରୂପ ନେଇଥିଲା। ଆନ୍ଦୋଳନକାରୀମାନେ ସ୍କୁଲ୍ ପରିସରରେ ପଶି ବ୍ୟାପକ ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିବା ସହ ସ୍କୁଲ୍ ବସ୍ରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ବ୍ୟାରିକେଡ୍ ଭାଙ୍ଗି ଶତାଧିକ ସଂଖ୍ୟାରେ ମୃତକଙ୍କ ସମ୍ପର୍କୀୟ ସ୍କୁଲ ପରିସରରେ ଭଙ୍ଗାରୁଜା କରିଥିଲେ।
ଗତକାଲି ମାଡ୍ରାସ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ମୃତ ଛାତ୍ରୀଙ୍କ ଶବକୁ ପୁନଃ ବ୍ୟବଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଘଟଣାରେ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ପାଇଁ ଜଷ୍ଟିସ ଏନ ସଥୀଶ କୁମାର ତାମିଲନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟଙ୍କ ଏହି ପୁନଃ ବ୍ୟବଚ୍ଛେଦ କରିବା ନିର୍ଦ୍ଦେଶର ପରିବର୍ତ୍ତନ କରିବାକୁ ପୀଡ଼ିତାଙ୍କ ବାପା ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଜୁଲାଇ ୧୭ ହିଂସାକାଣ୍ଡ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଗିରଫ କରିବାପାଇଁ ମାଦ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାରେ ୨ ଜଣ ଶିକ୍ଷକ ଗିରଫ ହୋଇଛନ୍ତି।