ମସ୍କୋ: ବର୍ଷ ବର୍ଷ ଧରି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ନିଜ ଦେଶରେ ଲୁଚାଇ ରଖିଥିବା ପାକିସ୍ତାନ ଆଜି ନିଜେ ଆତଙ୍କବାଦର ଭୟରେ ଥରୁଛି। ପରିସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନ ସେହି ପାକିସ୍ତାନ ପ୍ରତ୍ୟେକ ଅନ୍ତର୍ଜାତୀୟ ମଞ୍ଚରେ ଆଫଗାନିସ୍ତାନ ଏବଂ ଆତଙ୍କବାଦୀଙ୍କ ପ୍ରସଙ୍ଗ ଉଠାଉଛି।
ଯାହାକୁ ଥରେ "ଆତଙ୍କବାଦର କାରଖାନା" କୁହାଯାଉଥିଲା, ତାହା ଏବେ ଆତଙ୍କବାଦ ନିଆଁରେ ଜଳୁଛି। ଆତଙ୍କବାଦ ପାକିସ୍ତାନର ଶାସନ ବ୍ୟବସ୍ଥାରେ ଏତେ ଗଭୀର ଭାବରେ ପ୍ରବେଶ କରିଛି ଯେ, ଭାରତର "ଅପରେସନ୍ ସିନ୍ଦୁର"ରେ ନିହତ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ଯୋଗଦେଇ ପାକିସ୍ତାନୀ ସେନା ଅଧିକାରୀମାନେ ଲୁହ ଗଡ଼ାଉଥିବାର ଦେଖାଯାଇଛି। ଆତଙ୍କମାଦ ସମସ୍ୟାକୁ ନେଇ ସେନା ମୁଖ୍ୟ ଅସୀମ ମୁନିରଙ୍କ ନିଦ ହଜିଯାଇଛି।
ପାକିସ୍ତାନ, ଚୀନ୍, ରୁଷିଆ ଏବଂ ଇରାନ ଆଫଗାନିସ୍ତାନରେ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଛନ୍ତି। ଏହି ଚାରିଟି ଦେଶ ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଚୀନ୍, ରୁଷିଆ ଏବଂ ଇରାନର ଚିନ୍ତା ବୁଝିବା ଯୋଗ୍ୟ ହୋଇଥିଲେ ମଧ୍ୟ, ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଦୁଃଖ ସ୍ପଷ୍ଟ ଭାବେ ବିଡ଼ମ୍ବନାପୂର୍ଣ୍ଣ ରହିଛି।
ମସ୍କୋରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଆଫଗାନିସ୍ତାନ ପାଇଁ ପାକିସ୍ତାନର ସ୍ୱତନ୍ତ୍ର ଦୂତ ମହମ୍ମଦ ସାଦିକ କହିଛନ୍ତି ଯେ, ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ସହିତ ଜଡିତ ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ରୁଷିଆର ରାଜଧାନୀ ମସ୍କୋରେ ଏହି ବୈଠକ ଡକାଯାଇଥିଲା। ସାଦିକ ଏକ୍ସକୁ କହିଥିଲେ ଯେ, ବୈଠକ ସମୟରେ ଗଭୀର ଆଲୋଚନା ହୋଇଥିଲା। ସମସ୍ତ ଦେଶ ଏକ ସ୍ଥିର, ସାର୍ବଭୌମ ଏବଂ ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ସର୍ବସମ୍ମତିକ୍ରମେ ଦୋହରାଇଛନ୍ତି ଏବଂ ଆତଙ୍କବାଦ ଏବଂ ବାହ୍ୟ ହସ୍ତକ୍ଷେପ ମୁକ୍ତ ଆଫଗାନିସ୍ତାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ସେ କହିଛନ୍ତି।
ସାଦିକ କହିଛନ୍ତି. ବୈଠକରେ ଟିଟିପି, ବିଏଲଏ, ଇଟିଆଇଏମ, ଜୈଶ-ଉଲ-ଅଦଲ, ଆଇଏସଆଇଏଲ ଏବଂ ଅଲ-କାଏଦା ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର କାର୍ଯ୍ୟକଳାପ ବିଷୟରେ ବିଶେଷ ଚିନ୍ତା ପ୍ରକାଶ କରାଯାଇଥିଲା। ସେ କହିଛନ୍ତି, ଏହି ସଂଗଠନଗୁଡ଼ିକ ଦ୍ୱାରା ସୃଷ୍ଟି ହୋଇଥିବା ସାଧାରଣ ବିପଦକୁ ଦୃଷ୍ଟିରେ ରଖି, ସମସ୍ତ ଦେଶ ସମସ୍ତ ପ୍ରକାରର ଆତଙ୍କବାଦର ମୁକାବିଲା ପାଇଁ ସମନ୍ୱୟ ଏବଂ ମିଳିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।