ପୁଅ ପାଇଁ ଶ୍ରବଣ କୁମାର ସାଜି ଭାରରେ ବୋହି ବୋହି ନେଇଗଲେ ବାପା

କାନପୁର: କିମ୍ବଦନ୍ତୀରେ ବର୍ଣ୍ଣିତ ଶ୍ରବଣ କୁମାରଙ୍କ ବାବଦରେ ଆପଣ ଜାଣିଥିବେ, ଯିଏ କି ତାଙ୍କ ଅନ୍ଧ ପିତାମାତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରାରେ ନେଇଥିଲେ । ବର୍ତ୍ତମାନ କରୋନା ସଙ୍କଟ ସମୟରେ ଏମିତି ଜଣେ ଶ୍ରବଣ କୁମାର ନଜର ଆସିଛନ୍ତି | ତେବେ ବ୍ୟତିକ୍ରମ ହେଉଛି ଯେ ଏଠାରେ ଜଣେ ପୁଅ ନୁହେଁ ବରଂ ଜଣେ ବାପା ଶ୍ରବଣଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି | ଉତ୍ତରପ୍ରଦେଶ କାନପୁର ରାଜରାସ୍ତାରେ ଏମିତି ଜଣେ ପିତାଙ୍କୁ ଦେଖିବାକୁ ମିଳିଥିଲା ଯିଏ ନିଜ ଅସୁସ୍ଥ ପୁଅକୁ ଭାରରେ ବୋହି ନେଇ ଶହ ଶହ କିଲୋମିଟର ଚାଲୁଥିବାର ଦେଖିବାକୁ ମିଳିଛି |

ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶ ସିଙ୍ଗ୍ରାଉଲି ଗାଁର ରାଜକୁମାର ପଞ୍ଜାବର ଲୁଧିଆନାରେ ଶ୍ରମିକ ଭାବେ କାମ କରୁଥିଲେ। ଲକଡାଉନ କାରଣରୁ ସମସ୍ୟା ହେତୁ ସେ ପରିବାର ସହିତ ପାଦରେ ଚାଲିଚାଲି ନିଜ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ତାଙ୍କ ୧୫ ବର୍ଷର ପୁଅ ବ୍ରିଜେଶଙ୍କ ବେକରେ ଆଘାତ ଲାଗିଥିବାରୁ ସେ ଚାଲିବାକୁ ଅସମର୍ଥ ହୋଇଥିଲେ। ଏହାପରେ ରାଜକୁମାର ଏକ ଖଟରେ ଦଉଡି ବାନ୍ଧି ଆଉ ଜଣେ ପରିବାର ସଦସ୍ୟଙ୍କ ସହାୟତାରେ ପୁଅକୁ ବୋହି ଲୁଧିଆନାରୁ ଚାଲିବା ଆରମ୍ଭ କରିଥିଲେ |

photo-dainik jagaran

ରାଜକୁମାରଙ୍କ କହିବା ଅନୁଯାୟୀ, ପରିବାର ସହିତ ଗାଁର ୧୮ ଜଣ ଲୋକ ସେମାନଙ୍କ ସହ ଥିଲେ | ସମସ୍ତେ ପାଳି କରି ଏହି ଖଟିଆକୁ ବୋହିଥିଲେ | ଶୁକ୍ରବାର ସନ୍ଧ୍ୟାରେ ରାଜପଥରେ ଚାଲୁଥିବାବେଳେ ଉତ୍ତରପ୍ରଦେଶର ରାମଦେବୀ ଥାନା ଅଧିକାରୀ ରାମକୁମାର ଗୁପ୍ତା ଏଭଳି ଦୃଶ୍ୟ ଦେଖି ଘଟଣା ବାବଦରେ ପଚାରିବୁଝିଥିଲେ | ଏହା ପରେ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ | ଏହା ପରେ ଗାଡ଼ିଟିଏ ବ୍ୟବସ୍ଥା କରି ସେମାନଙ୍କୁ ନିଜ ଗାଁକୁ ପଠାଇଥିଲେ | ତେବେ ଲୁଧିଆନା ଠାରୁ କାନପୁର ପର୍ଯ୍ୟନ୍ତ ପ୍ରାୟ ୮୦୦ କିଲୋମିଟର ଦୂରତାକୁ ଏଭଳି ଭାର ମାଧ୍ୟମରେ ରାଜକୁମାର ନିଜ ପୁଅଙ୍କୁ ବୋହି ଚାଲିଥିଲେ |

ସମ୍ବନ୍ଧିତ ଖବର