ପୋଷା କୁକୁରକୁ ବଞ୍ଚାଇବାକୁ ନଦୀକୁ ଡେଇଁପଡ଼ିଲେ ବାପା-ପୁଅ

ଖର୍ଗୋନ: ପୋଷା କୁକୁର ଓ ପତ୍ନୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ଜୀବନ ହାରିଲେ ବାପା-ପୁଅ | ମଧ୍ୟପ୍ରଦେଶର ଖାର୍ଗୋନରେ ଏଭଳି କ ଦୁଃଖଦାୟକ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ନିଜ ପତ୍ନୀ ଏବଂ ପୋଷା କୁକୁରକୁ ବଞ୍ଚାଇବାକୁ ଚେଷ୍ଟା କରି ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ନର୍ମଦା ନଦୀରେ ବୁଡ଼ି ଯାଇଥିଲେ। ଖର୍ଗୋନର ସହସ୍ରାଧର ଅଂଚଳରେ ସ୍ୱାମୀ-ସ୍ତ୍ରୀ, ତାଙ୍କ ପୁଅ ଓ ପୋଷା କୁକୁର ନର୍ମଦା ନଦୀ କୂଳକୁ ବୁଲିବାକୁ ଯାଇଥିଲେ | ଏହି ସମୟରେ ପୋଷା କୁକୁରଟି ନଦୀ ଭିତରକୁ ଚାଲିଯାଇଥିଲା | ଆଉ ପୋଷା କୁକୁରକୁ ବଞ୍ଚାଇବାକୁ ସପନା ସିଂହ ନାମକ ମହିଳା ମଧ୍ୟ ନଦୀକୁ ଡେଇଁପଡ଼ିଥିଲେ |

ଏହି ଘଟଣା ଦେଖି ଅଳ୍ପ ଦୂରରେ ଥିବା ସପନାଙ୍କ ସ୍ୱାମୀ ଅମନ ସିଂ କନୱର ଏବଂ ତାଙ୍କ ପୁଅ ରୁଦ୍ରାକ୍ଷ ମଧ୍ୟ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀକୁ ଡେଇଁଥିଲେ। ତେବେ ସପନା ସିଂହ ଓ କୁକୁର ପହଁରି ପହଁରି କୂଳକୁ ଚାଲିଆସିଥିବାବେଳେ ଅମନ ଓ ତାଙ୍କ ପୁଅ ରୁଦ୍ରାକ୍ଷ କିନ୍ତୁ ନଦୀ ଗର୍ଭରେ ବୁଡିଯାଇଥିଲେ | ଏହି ଘଟଣା ଦେଖି ସପନା ଯେତେ ଚିତ୍କାର କରିଥିଲେ ବି କେହି ଶୁଣିପାରିନଥିଲେ | କାରଣ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିଲେ | ପରେ ସ୍ଥାନୀୟ ଲୋକ ଘଟଣା ବାବଦରେ ଜାଣିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଂଚି ଦମକଳ ବାହିନୀକୁ ଖବର ଦେଇଥିଲେ | ଦମକଳ ବାହିନୀ ପାଣିରେ ଅନେକ ସମୟ ଖୋଜାଖୋଜି କରିବା ପରେ ଉଭୟ ବାପା-ପୁଅଙ୍କ ମୃତଦେହ ଉଦ୍ଧାର କରିଛି |

ସମ୍ବନ୍ଧିତ ଖବର