ଆମ୍ବୁଲାନ୍ସ ଭଡ଼ା ୩୫ହଜାର ଟଙ୍କା ମାଗିବାରୁ ଝିଅର ମୃତ ଶରୀରକୁ କାର ସିଟରେ ବାନ୍ଧି ନେବାକୁ ବାଧ୍ୟ ହେଲେ ବାପା

ଜୟପୁର: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବାପା ନିଜ ଝିଅର ଜୀବନ ବଞ୍ଚାଇବା ପାଇଁ କୋଟାର ନ୍ୟୁ ମେଡିକାଲ୍ ହସ୍ପିଟାଲ୍ ଆଣିଥିଲେ, କିନ୍ତୁ ଦୁଃଖର କଥା ତାଙ୍କ ଝିଅର ଜୀବନ ବଞ୍ଚିପାରି ନଥିଲା। ଏହାପରେ ଝିଅର ମୃତଦେହ ନେବା ପାଇଁ ବାପା ଆମ୍ବୁଲାନ୍ସ ଯୋଗାଡ଼ କରିଥିଲେ।

ହସ୍ପିଟାଲ ବାହାରେ ଛିଡ଼ା ହୋଇଥିବା ପ୍ରାଇଭେଟ ଆମ୍ବୁଲାନ୍ସକୁ ଯିବାକୁ କହିବାରୁ ସେ ଅତ୍ୟଧିକ ଟଙ୍କାର ଭଡ଼ା ମାଗିଥିଲା। ଏହାପରେ ବାପା ନିଜେ ଝିଅର ମୃତଦେହକୁ କାର ସିଟରେ ବାନ୍ଧି ଘର ପର୍ଯ୍ୟନ୍ତ ଆଣିଥିଲେ।

କିଛି ଦିନ ତଳେ ୩୪ ବର୍ଷୀୟ ସୀମାଙ୍କର ଚିକିତ୍ସା କରାଇବା ପାଇଁ ପରିବାର ଲୋକେ ଝାଲବାଡରୁ କୋଟା ଆଣିଥିଲେ। ସୀମାଙ୍କୁ ନ୍ୟୁ ମେଡିକାଲ୍ କଲେଜ୍ ହସ୍ପିଟାଲ ଆଡମିଟ୍ କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଝିଅର ମୃତ୍ୟୁ ପରେ ସୀମାଙ୍କର ପରିବାର ଲୋକେ ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସକୁ ମୃତଦେହ ନେବା ପାଇଁ କହିଥିଲେ, କିନ୍ତୁ ଆମ୍ବୁଲାନ୍ସ ୨୦ରୁ ୩୫ ହଜାର ଟଙ୍କା ଦାବି କରିଥିଲା। ଏତେଗୁଡ଼ିଏ ଟଙ୍କା ଦେବାକୁ ସୀମାଙ୍କର ପରିବାର ପକ୍ଷେ ସମ୍ଭବ ନଥିଲା।

ବାଧ୍ୟ ହୋଇ ବାପା ମନରେ କଷ୍ଟକୁ ଚାପି ଝିଅର ମୃତଦେହକୁ ନିଜ କାର୍ ସିଟରେ ବାନ୍ଧି ଝାଲବାଡ ଯାଏଁ ନେଇଥିଲେ।
ଏହି ଘଟଣାକୁ ନେଇ କୋଟାର ଡିଏମ କହିଛନ୍ତି, ଘରୋଇ ଆମ୍ବୁଲାନ୍ସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଘଟଣାର ମ୍ୟୁନିସିପାଲିଟି କର୍ପୋରେସନ୍ ଏଇଏନ୍ କପିଲ ଏବଂ ଆରଟିଓ ସବ୍ ଇନ୍ସପେକ୍ଟର ସତ୍ୟବୀର ସିଂଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର