ଭାରତୀୟ ସେନାକୁ ବଡ଼ ସଫଳତା, ଜୈସର ବିସ୍ଫୋରକ ବିଶେଷଜ୍ଞ ଫୌଜିଭାଇ ନିହତ

ଶ୍ରୀନଗର : ଗତ ମାସରେ କୁଖ୍ୟାତ ଆତଙ୍କବାଦୀ ତଥା କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ରିଆଜ ନାଇକୋକୁ ନିପାତ କରିବା ପରେ ଭାରତୀୟ ସେନା ଓ ସୁରକ୍ଷାବଳକୁ ଆଜି ଆଉ ଏକ ବଡ଼ ସଫଳତା ମିଳିଛି । ଆଜି ସେନା ଓ ସୁରକ୍ଷାବଳ ପକ୍ଷରୁ ହୋଇଥିବା ଅପରେସନରେ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ କାଣ୍ଡର ମାଷ୍ଟରମାଇଣ୍ଡ ତଥା ଜୈସ କମାଣ୍ଡର ପ୍ରାଣ ହରାଇଛି । ଏହି କୁଖ୍ୟାତ ଆତଙ୍କବାଦୀର ବିଭିନ୍ନ ନାମ ରହିଛି, ଯଥା ମୁଲତାନର ଫୌଜି ଭାଇ,ଇଦ୍ରିସ , ହାଇଦର,ଲଂବୁ । ତେବେ ପ୍ରକୃତରେ ତା ନାମ କଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଫୌଜି ଭାଇ ଜଣେ ବିସ୍ଫୋରକ ବିଶେଷଜ୍ଞ ଭାବେ ଜଣାଶୁଣା । ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପାଇଁ ସେ ବିସ୍ଫୋରକ ପ୍ରସ୍ତୁତ କରୁଥିଲା । ସେ ଆରଡିଏକ୍ସର ବ୍ୟବହାର ଭଲଭାବରେ ଜାଣିଥିଲା । ଏପରିକି ସ୍ଥାନୀୟଭାବେ ମିଳୁଥିବା ଆମୋନିୟମ ନାଇଟ୍ରେଟ ସାରରେ ଆଉ କେତେକ ରସାୟନ ମିଶାଇ ସେ ବିସ୍ଫୋରକ ପ୍ରସ୍ତୁତ କରୁଥିଲା । ସେ ମଧ୍ୟ ତାଲିବାନ ପାଇଁ ବିସ୍ଫୋରକ ତିଆରି କରୁଥିଲା ।
ଗତ ମାସରେ ମଧ୍ୟ ପୁଲଓ୍ଵାମା ପରି ଆଉ ଏକ ଆକ୍ରମଣ କରିବାକୁ ସେ ବିସ୍ଫୋରକ ପ୍ରସ୍ତୁତ କରିଥିଲା । ତେବେ ଠିକ ସମୟରେ ଗୁଇନ୍ଦା ବିଭାଗର ରିପୋର୍ଟ ପରେ ସୁରକ୍ଷା ବାହିନୀ ସତର୍କ ହେବା ସହ ବିସ୍ଫୋରକୁ ନିଷ୍କ୍ରିୟ କରିଦେଇଥିଲା । କିନ୍ତୁ ଘଟଣାସ୍ଥଳରୁ ଫୌଜି ଭାଇ ଖସିଯାଇଥିଲା । କିନ୍ତୁ ଆଜି ତାହାର ଏନକାଉଣ୍ଟର ପରେ ସୁରକ୍ଷାବଳକୁ ଏକ ବଡ଼ ସଫଳତା ମିଳିଛି ।

ସମ୍ବନ୍ଧିତ ଖବର