ଅନୁକମ୍ପାମୂଳକ ନିଯୁକ୍ତି ଏକ ଅଧିକାର ନୁହେଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କାର୍ଯ୍ୟରତ ଅବସ୍ଥାରେ କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟିଲେ ଅନୁକମ୍ପାମୂଳକ ଭାବେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଯେଉଁ ଚାକିରି ଦିଆଯାଏ, ତାହା ଏକ ରିହାତି, ଅଧିକାର ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଜଣେ ମହିଳାଙ୍କୁ ଅନୁକମ୍ପା ଭିତ୍ତିରେ ଚାକିରି ଦେବା ପାଇଁ କେରଳ ହାଇକୋର୍ଟ ଫର୍ଟିଲାଇଜର୍ସ ଆଣ୍ଡ୍ କେମିକାଲ୍ସ ଟ୍ରାଭାଙ୍କୋର ଲିମିଟେଡ୍‌ କମ୍ପାନିକୁ ଦେଇଥିବା ଆଦେଶକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି।

ଜଷ୍ଟିସ୍ ଏମ୍‌ଆର୍‌ ଶାହ ଓ କ୍ରିଷ୍ଣା ମୁରାରିଙ୍କ ବେଞ୍ଚ କହିଲେ ଯେ, ମହିଳାଙ୍କ ପିତା ସାର କମ୍ପାନିରେ ଚାକିରି କରିଥିଲେ ଏବଂ ୧୯୯୫ରେ କର୍ତ୍ତବ୍ୟରତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ଚାକିରି କରିଥିଲେ ଏବଂ ସେତେବେଳେ ଅନୁକମ୍ପା ଆଧାରରେ ତାଙ୍କ ଝିଅ ଚାକିରି ପାଇବାକୁ ହକ୍‌ଦାର ନ ଥିଲେ। ଏବେ ମୃତ୍ୟୁର ୨୪ ବର୍ଷ ପରେ ସେ ଅନୁକମ୍ପା ଆଧାରରେ ଚାକିରି ପାଇବା ପାଇଁ ଯୋଗ୍ୟା ହୋଇପାରିବେ ନାହିଁ। ସମ୍ବିଧାନର ଧାରା ୧୪ ଅନୁସାରେ ଆଇନ ଆଗରେ ସମସ୍ତେ ସମାନ ଏବଂ ଧାରା ୧୬ ଅନୁସାରେ ସରକାରୀ ଚାକିରିରେ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ତେବେ ଅନୁକମ୍ପା ଆଧାରରେ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଯେଉଁ ଚାକିରି ଦିଆଯାଉଛି ତାହା ଏକ ବ୍ୟତିକ୍ରମ। ଏହା ଏକ ରିହାତି, ଏକ ଅଧିକାର ନୁହେଁ। ମୃତ୍ୟୁ ପରେ ତୁରନ୍ତ ଭାଙ୍ଗିପଡ଼ିଥିବା ଏକ ପରିବାରକୁ ସାହାଯ୍ୟ କରିବା ପାଇଁ ଏହି ବ୍ୟବସ୍ଥା ପ୍ରଚଳିତ।

ସୁପ୍ରିମକୋର୍ଟ କହିଛନ୍ତି, ୧୯୯୫ରେ ଯେତେବେଳେ କର୍ମଚାରୀ ଜଣକ ମରିଗଲେ ସେତେବେଳେ ତାଙ୍କ ଝିଅ ନାବାଳିକା ଥିଲେ। ସେ ସାବାଳିକା ହେଲା ପରେ ଏବଂ ବାପାଙ୍କ ମୃତ୍ୟୁର ୧୪ ବର୍ଷ ପରେ ଅନୁକମ୍ପା-ଆଧାରରେ ଚାକିରି ପାଇଁ ଆବେଦନ କଲେ। କମ୍ପାନି ଫେବ୍ରୁଆରି ୨୦୧୮ରେ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଲା। କାରଣ ନିୟମାନୁଯାୟୀ ମୃତକଙ୍କ ବିଧବା ସ୍ତ୍ରୀ କିମ୍ବା ନିର୍ଭରଶୀଳ ପୁଅ କିମ୍ବା ଅବିବାହିତା ଝିଅଙ୍କୁ ଅନୁକମ୍ପା ଆଧାରରେ ଚାକିରି ମିଳିବା କଥା। ମୃତକଙ୍କ ନିର୍ଭରଶୀଳ ତାଲିକାରେ ଝିଅର ନାଁ ନ ଥିବାରୁ ତାଙ୍କୁ ଚାକିରି ମିଳିପାରିବ ନାହିଁ ବୋଲି କମ୍ପାନି କହିଲା। ଏହାପରେ ୨୦୧୯ ଡିସେମ୍ବରରେ ମହିଳାଙ୍କ ଆବେଦନକୁ ପୁଣି ପ୍ରତ୍ୟାଖ୍ୟାନ କରିଦିଆଗଲା କାରଣ କର୍ମଚାରୀଙ୍କ ମୃତ୍ୟୁର ୨୪ ବର୍ଷ ପରେ ଅନୁକମ୍ପା ଆଧାରରେ ଚାକିରି ଦେବାର ଆଉ ଯଥାର୍ଥତା ନାହିଁ ବୋଲି ଦର୍ଶାଗଲା। ସୁପ୍ରିମ୍‌କୋର୍ଟ ବି ତାହାହିଁ ଦର୍ଶାଇଛନ୍ତି ଯେ, କର୍ମଚାରୀଙ୍କ ମୃତ୍ୟୁର ଏତେ ବର୍ଷ ପରେ ଆଉ ଅନୁକମ୍ପା ଆଧାରର ଯଥାର୍ଥତା ନାହିଁ।

ସମ୍ବନ୍ଧିତ ଖବର