ସତର୍କ କରାଇଲା ଏଫ୍‌ବିଆଇ: ଟ୍ରମ୍ପ୍‌ ସମର୍ଥକ ସଶସ୍ତ୍ର ବିରୋଧ କରିପାରନ୍ତି

ଆଗକୁ ବାଇଡେନ୍‌ଙ୍କ ଶପଥଗ୍ରହଣ, ଵାସିଂଟନ୍‌ରେ ଜରୁରୀକାଳୀନ ପରିସ୍ଥିତି ଜାରି

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡେନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ସଶସ୍ତ୍ର ବିରୋଧ ପ୍ରଦର୍ଶନ କରିପାରନ୍ତି ବୋଲି ଆମେରିକାର ଗଇନ୍ଦା ସଂସ୍ଥା ଏଫ୍‌ବିଆଇ ସତର୍କ କରାଇ ଦେଇଛି। କ୍ୟାପିଟଲ୍‌ରେ ଟ୍ରମ୍ପ୍‌ ସମର୍ଥକମାନେ ଭିଆଇଥିବା ହିଂସା ଦ୍ବାରା ଉଦ୍ଦେଶ୍ୟରେ ସଫଳ ହୋଇନଥିବାରୁ ଆଗକୁ ବଡ଼ ଧରଣର ସଶସ୍ତ୍ର ବିରୋଧ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଏଫ୍‌ବିଆଇ ସତର୍କ କରାଇଛି। ଏଫ୍‌ବିଆଇ ରିପୋର୍ଟ ଆଧାରରେ ବିଭିନ୍ନ ସହରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ସୋସିଆଲ ମିଡିଆ ପୋଷ୍ଟ୍‌ ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି। ଗତ ବୁଧବାର କ୍ୟାପିଟଲ୍‌ ବିଲ୍‌ଡିଂ ପରିସରରେ ଘଟିଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହାକୁ ନେଇ ଏବେ ବି ଉତ୍ତେଜନା ଜାରି ରହିଥିବାରୁ ଜରୁରୀକାଳୀନ ସ୍ଥିତି ଲାଗୁ ହୋଇଛି। ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ୱାସିଂଟନ ଡିସିରେ ବାହାରୁ ଆସୁଥିବା ଲୋକଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଇଛି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ କରି ରିପବ୍ଳିକାନ୍‌ ଦଳର ସମର୍ଥକମାନେ ସଂସଦ ଭବନରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବାର ପ୍ରାୟ ପାଞ୍ଚ ଦିନ ପରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ ଵାସିଂଟନ ସହରରେ ଆଜିଠାରୁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ରାଷ୍ଟ୍ରପତି ଭବନ ପ୍ରେସ କାର୍ଯ୍ୟାଳୟ ସୂତ୍ରରୁ ଏ ବିଷୟରେ ସୂଚନା ଦିଆଯାଇଛି। ଆଗକୁ ଜାନୁଆରି ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍‌ଙ୍କ ଶପଥଗ୍ରହଣ ଉତ୍ସବ ଥିବାରୁ ସେ ସମୟରେ ଯେଭଳି ଏମିତି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜାନୁଆରି ୧୧ରୁ ୨୪ ଯାଏ ସମଗ୍ର କଲମ୍ବିଆ ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି ବୋଲି କୁହାଯାଇଛି। ଏହାଦ୍ବାରା ଟ୍ରମ୍ପ୍‌ ଦେଶର ଗୃହ ବିଭାଗ ଓ ଫେଡେରାଲ ଏମର୍ଜେନ୍ସି ମାନେଜ୍‌ମେଣ୍ଟ ଏଜେନ୍ସି(ଫେମା)କୁ ପରିସ୍ଥିତିର ମୁକାବିଲା ଓ ପରିଚାଳନା ପାଇଁ ସମସ୍ତ କ୍ଷମତା ପ୍ରଦାନ କରିଛନ୍ତି।

ଏଥିଯୋଗୁଁ ପେଣ୍ଟାଗନ ପକ୍ଷରୁ ୧୫,୦୦୦ ଜାତୀୟ ସୁରକ୍ଷା କର୍ମୀଙ୍କୁ ରାଜଧାନୀ ଵାସିଂଟନ୍‌ରେ ମୁତୟନ କରାଯାଇଛି ଏବଂ କୌଣସି ପ୍ରକାର ଦଙ୍ଗା ପରିସ୍ଥିତି ଯେଭଳି ନ ଉପୁଯିବ ସେଥିପାଇଁ ଯାବତୀୟ ପଦକ୍ଷେପ ନେବାକୁ କୁହାଯାଇଛି।
ଅପରପକ୍ଷେ, ଗତ ସପ୍ତାହରେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ସଂସଦ ଭବନରେ ଚଳାଇଥିବା ଦଙ୍ଗା ପରିପ୍ରେକ୍ଷୀରେ ଗୃହ ବିଭାଗ ସଚିବ ଚାଦ୍‌ ଓଲ୍ଫ ଇସ୍ତଫା ଦେବାର କେଇ ଘଣ୍ଟା ପରେ ଟ୍ରମ୍ପ୍‌ ପ୍ରଶାସନର ଏପରି ଜରୁରୀକାଳୀନ ପରିସ୍ଥିତି ଜାରି ଆଲୋଚ୍ୟ ବିଷୟ ହୋଇଛି। ସେହିପରି ଆସନ୍ତା ସପ୍ତାହରେ ଓ ବାଇଡେନ୍‌ଙ୍କ ଶପଥଗ୍ରହଣ ଦିନ ଆମେରିକାର ସମସ୍ତ ୫୦ ରାଜ୍ୟରେ ପୁଲିସ ବାହିନୀକୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି। ଟ୍ରମ୍ପ୍‌ଙ୍କ ଏହି ନିର୍ଦ୍ଦେଶନାମା ଏହି ପରିପ୍ରେକ୍ଷୀରେ ଯଥେଷ୍ଟ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର