ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ପାଖରୁ ଏଣିକି ଆଣିପାରିବେ ୧୦ ଲକ୍ଷ ଟଙ୍କା , ନେବାକୁ ପଡିବ ନାହିଁ କେନ୍ଦ୍ର ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ଆପଣଙ୍କର ବିଦେଶରେ କେହି ସମ୍ପର୍କୀୟ ଅଛନ୍ତି କି? ଆଉ ସେହି ସମ୍ପର୍କୀୟ ଆପଣଙ୍କୁ କୌଣସି କାର୍ଯ୍ୟ ପାଇଁ ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ପଠାଇବାକୁ ଚାଁହୁଛନ୍ତି କି? ଯଦି ହଁ ଏଣିକି ସେମାନେ ୧ ଲକ୍ଷରୁ ଅଧିକ ଟଙ୍କା ପଠାଇପାରିବେ | କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ବୈଦେଶିକ ଚାନ୍ଦା(ନିୟମାବଳୀ) ଅଧିନିୟମ (Foreign Contribution Regulation Act) ସହ ଜଡିତ କିଛି ନିୟମରେ ସଂଶୋଧନ କରି ଭାରତୀୟମାନଙ୍କୁ ଏକ ବଡ ଆଶ୍ବସ୍ତି ଦେଇଛି | ଏହି ନୂଆ ସଂଶୋଧନ ଦ୍ଵାରା ଏଣିକି ବିଦେଶରେ ରହୁଥିବା ସମ୍ପର୍କୀୟଙ୍କଠାରୁ ବର୍ଷକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆପଣ ଆଣିପାରିବେ | ଆଉ ଏଥିପାଇଁ ଭାରତ ସରକାରଙ୍କୁ ଜଣାଇବାକୁ ପଡିବ ନାହିଁ |

ପୂର୍ବରୁ ଏହାର ସୀମା ମାତ୍ର ଏକ ଲକ୍ଷ ଟଙ୍କା ଥିଲା। ଏକ ବିଜ୍ଞପ୍ତିରେ ମନ୍ତ୍ରାଳୟ କହିଛି ଯେ ଯଦି ଏହି ରାଶି ୧୦ ଲକ୍ଷରୁ ଅଧିକ ହୁଏ, ତେବେ ଲୋକମାନେ ୩୦ ଦିନ ପରିବର୍ତ୍ତେ ସରକାରଙ୍କୁ ଜଣାଇବା ପାଇଁ ୯୦ ଦିନ ପାଇବେ। ନୂତନ ନିୟମ ଆଜି ଏକ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଗୃହ ମନ୍ତ୍ରାଳୟ ଦ୍ୱାରା ସୂଚିତ କରାଯାଇଛି ।

ଏଥିରେ ଦର୍ଶାଯାଇଛି ଯେ ପୂର୍ବରୁ ଯଦି କୌଣସି ବ୍ୟକ୍ତି ଆର୍ଥିକ ବର୍ଷରେ ଏକ ଲକ୍ଷ ଟଙ୍କା ବା ଏହାଠାରୁ ଅଧିକ ଟଙ୍କା ବିଦେଶରେ ଥିବା ତାଙ୍କ ସମ୍ପର୍କୀୟଙ୍କଠାରୁ ପାଉଥିଲେ, ତେବେ ତାଙ୍କୁ ଏହି ରାଶି ଗ୍ରହଣ କରିବାର ୩୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ପଡୁଥିଲା । ଆଉ ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆପଣ ବିନା ଅନୁମତିରେ ଆଣିପାରିବେ | ଯଦି ଏହି ରାଶି ୧୦ ଲକ୍ଷରୁ ଅଧିକ ହୁଏ, ତେବେ ଲୋକମାନେ ୩୦ ଦିନ ପରିବର୍ତ୍ତେ ସରକାରଙ୍କୁ ୯୦ ଦିନ ମଧ୍ୟରେ ଜଣାଇବେ |

ସମ୍ବନ୍ଧିତ ଖବର