କର୍ପୋରେଟ୍ ଜଗତରେ ବି ଝଡ଼, ଅଧିକାରୀଙ୍କୁ ଛୁଟିରେ ପଠାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ: ସିନେମା, ଗଣମାଧ୍ୟମ ଓ ରାଜନୀତି ଜଗତକୁ ଦୋହଲାଇ ଦେଇଥିବା ମି ଠୁ ଅଭିଯାନର ଝଡ଼ କର୍ପୋରେଟ୍ ଜଗତରେ ପ୍ରବେଶ କରିଛି। ଟାଟା ମୋଟର୍ସର ଜଣେ ବରିଷ୍ଠ ଅଧିକାରୀ ଜଣେ ମହିଳା କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ କଂପାନି ପକ୍ଷରୁ ତାଙ୍କୁ ଛୁଟିରେ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଟାଟା ମୋଟର୍ସର କର୍ପୋରେଟ୍ ଯୋଗାଯୋଗ ମୁଖ୍ୟ ସୁରେଶ ରଙ୍ଗରାଜନ ଜଣେ ମହିଳା କର୍ମଚାରୀଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋ‌ଗର ସ୍କ୍ରିନ୍ ସଟ୍‌କୁ ଜଣେ ସାମ୍ବାଦିକା ଟ୍ବିଟର୍‌ରେ ସେୟାର କରିଛନ୍ତି। ତାହାକୁ ବିପୁଳ ମାତ୍ରାରେ ଟ୍ବିଟର୍‌ରେ ସେୟାର କରାଯାଉଛି। ତେବେ ଏଭଳି କୌଣସି ବ୍ୟବହାର କରିନାହିଁ ବୋଲି ଉତ୍ତର ଦେଇ ଦେଇ ରଙ୍ଗରାଜନ ଥକି ପଡ଼ିଲେଣି। କିନ୍ତୁ ତାଙ୍କ କଥା କେହି ଶୁଣୁନାହାନ୍ତି। ଅଭିଯୋଗ ବିଷୟରେ ଜଣାପଡ଼ିବା ପରେ ଟାଟା ମୋଟର୍ସ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଘଟଣାର ତଦନ୍ତ ପ୍ରକ୍ରିୟା‌ ଆରମ୍ଭ କରାଯାଇଛି। ତଦନ୍ତରେ ଯେଭଳି କୌଣସି ବାଧା ସୃଷ୍ଟି ନହୁଏ ତାହାକୁ ନିଶ୍ଚିତ କରିବା ପାଇଁ ରଙ୍ଗରାଜନଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ କଂପାନିର ମାନବ ସମ୍ବଳ ବିଭାଗ ପକ୍ଷରୁ ଟ୍ବିଟର୍‌ରେ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ଟାଟା ମୋଟର୍ସ ସବୁ ବେଳେ ସମସ୍ତଙ୍କ ପାଇଁ ସମ୍ମାନଜନକ ଓ ସୁରକ୍ଷିତ କର୍ମକ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଯଦି କୌଣସି ଅଭିଯୋଗ ଆସିବ ତେବେ ତାହାର ତୁରନ୍ତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଅମିତା‌ଭଙ୍କୁ ଡରାଇଲେ ସପ୍‌ନା ଭାବ୍‌ନାନି
ମୁମ୍ବାଇ: ମି ଠୁ ଅଭିଯାନକୁ ସ୍ବାଗତ ଓ ସମର୍ଥନ କରିଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଆଜି ପୂର୍ବତନ ବିଗ୍ ବସ୍‌ ପ୍ରତିଦ୍ବନ୍ଦ୍ବୀ ତଥା‌ ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପ୍‌ନା ଭାବ୍‌ନାନି ଡରାଇଛନ୍ତି। ଟ୍ବିଟର୍‌ରେ ‌େସ ବିଗ୍ ବିଙ୍କୁ ସମ୍ବୋଧନ କରି କହିଛନ୍ତି, ଅଭିଯାନକୁ ଆପଣ ସମର୍ଥନ କରି ବଡ଼ ବଡ଼ କଥା କହୁଛନ୍ତି। କିନ୍ତୁ ଆପଣଙ୍କ ଦିନ ଖୁବ୍‌ଶୀଘ୍ର ଆସୁଛି। ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ। ସେ ଆହୁରି କହିଛନ୍ତି, ମହାଶୟ, ଚଳଚ୍ଚିତ୍ର ‘ପିଙ୍କ୍’ ମୁକ୍ତିଲାଭ କରି ଚାଲିଗଲାଣି। ସେହିଭଳି ଜଣେ ସାମାଜିକ କର୍ମୀ ଭାବେ ଆପଣଙ୍କ ଭାବମୂର୍ତ୍ତି ମଧ୍ୟ ଶୀଘ୍ର ଚାଲିଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର