ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଭୟ: ଉହାନ୍‌ରେ ସମସ୍ତଙ୍କ କରୋନା ପରୀକ୍ଷା ହେବ

ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୩୮ ହଜାର ଟପିଲା, ୟୁରୋପ୍‌ରେ ସର୍ବାଧିକ

ନୂଆଦିଲ୍ଲୀ: ଚୀନ୍‌ର ଉହାନ୍‌ ସହରରେ ଏବେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଭୟ ଦେଖା‌ଦେଇଛି। ମାସକ ପୂର୍ବେ ଉହାନ୍‌ରୁ ଲକ୍‌ଡାଉନ୍‌ ଉଠିବାପରେ ସେଠାରେ ପୁଣି ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି। ତେଣୁ ଉହାନ୍‌ରେ ସବୁ ଲୋକ ଅର୍ଥାତ୍ ୧ କୋଟି ୧୦ ଲକ୍ଷ ଲୋକଙ୍କ କ‌ରୋନା ପରୀକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି। ୧୦ ଦିନ ମଧ୍ୟ‌ରେ ଉହାନ୍‌ରେ ପ୍ରତି ଘରକୁ ଘର ସ୍ବାସ୍ଥ୍ୟ ଟିମ୍‌ ବୁଲି ନମୁନା ସଂଗ୍ରହ କରିବେ ଏବଂ ସମସ୍ତଙ୍କର କରୋନା ପରୀକ୍ଷା ହେବ। ପ୍ରତ୍ୟେକ ଜିଲ୍ଲାକୁ ଏନେଇ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ । ତେବେ କେବେଠାରୁ ଟେଷ୍ଟ୍‌ ଆରମ୍ଭ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଚୀନ୍‌ରେ ପୁଣି ୧୬ଟି ନୂଆ ମାମଲା ରେକର୍ଡ କରାଯାଇଛି। ରବିବାର ଏବଂ ସୋମବାର ୬ଟି ନୂଆ ମାମଲା ଚିହ୍ନଟ ହୋଇଛି। ନୂଆ ମାମଲାରୁ ୧୫ଟି ମାମଲାରେ କୌଣସି ଲକ୍ଷଣ ନାହିଁ। ଉହାନ୍‌ରେ ମଧ୍ୟ କୌଣସି ଲକ୍ଷଣ ନଥିବା ୬୦୬ ‌ରୋଗୀ ଏବେ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଲକ୍ଷଣ ନଥାଇ ରୋଗୀ ଚିହ୍ନଟ ହେବା ଅଧିକ ଚିନ୍ତା ବଢ଼ାଇଛି। ଉଲ୍ଲେଖଯୋଗ୍ୟ ଉହ‌ାନ୍‌ରେ କରୋନା

ମହାମାରୀ ଯୋଗୁଁ ୩ ହଜାର ୮୬୯ ଜଣଙ୍କ ମୃତ୍ୟୁ‌ ହୋଇଛି ଏବଂ ଉହାନ୍‌ ଚୀନ୍‌ରେ ସବୁଠୁ କ୍ଷତିଗ୍ରସ୍ତ ସହର। ଉହାନ୍‌ ପରି ଦକ୍ଷିଣ କୋରିଆରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଭୟ ଦେଖାଦେଇଛି। ଦକ୍ଷିଣ କୋରିଆରେ ଗତ ୨୪ ଘଣ୍ଟା‌ ମଧ୍ୟରେ ପୁଣି ୨୭ ନୂଆ ମାମଲା ରେକର୍ଡ କରାଯାଇଛି। ସିଓଲ୍‌ ନାଇଟକ୍ଲବ୍‌ ଯାଇଥିବା ୧୦୦ରୁ ଅଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ନାଇଟ୍‌କ୍ଲବ୍‌ ଯାଇଥିବା ହଜାର ହଜାର ଲୋକଙ୍କ କଣ୍ଟା‌କ୍ଟ ଟ୍ରେସିଂ ଆରମ୍ଭ ହୋଇଛି ଏବଂ ୭ ହଜାରାରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା‌ କରାଯାଇଛି। ତେବେ ସୁସ୍ଥ ହୋଇଥିବା ‌ରୋଗୀ ପୁଣିଥରେ ଆକ୍ରାନ୍ତ ହେବା ଏବଂ ୩୬ ପ୍ରତିଶତ ନୂଆ ମାମଲାରେ କୌଣସି ଲକ୍ଷଣ ଦେଖା‌ନଦେବା ଚିନ୍ତା ବଢ଼ାଇଛି। ଦକ୍ଷିଣ କୋରିଆରେ ମୋଟ୍‌ ୧୦ହଜାର ୯୩୬ ଜଣ କରୋନା ଆକ୍ରାନ୍ତ ହୋଇଥିବାବ‌େଳେ ୨୫୮ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରିଟେନ୍‌ରେ କୋଭିଡ୍‌ ମୃତ୍ୟୁସଂଖ୍ୟା ୩୮ହଜାର ଟପିଛି। ୟୁରୋପ୍‌ରେ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଭାବେ ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ରହିଛି। ଇଂଲଣ୍ଡ ଏବଂ ୱେଲ୍ସର ଜାତୀୟ ପରିସଂଖ୍ୟାନ ସଂସ୍ଥାନ ତଥ୍ୟ ଅନୁଯାୟୀ ମେ’ ୩ ସୁଦ୍ଧା ବ୍ରିଟେନ୍‌ରେ କରୋନା ମୃତ୍ୟୁସଂଖ୍ୟା ୩୮ହଜାର ୨୮୯ ଥିଲା। ପ୍ରଥମ ଥର ପାଇଁ ହସ୍ପିଟାଲ୍‌ ତୁଳନାରେ ବ୍ରିଟେନ୍‌ର କେୟାର ହୋମ୍‌ରେ ଅଧିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତଥ୍ୟରୁ ଏହା ଜଣାପଡ଼ିଛି ଯେ ଇଂଲଣ୍ଡ୍‌ ଏବଂ ୱେଲ୍ସର ସମୁଦାୟ ମୃତ୍ୟୁର ଏକ ତୃତୀୟାଂଶ କେବଳ କେୟାର ହୋମ୍‌ରୁ ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ୱାର୍ଲ୍ଡମିଟର ତଥ୍ୟ ଅନୁଯାୟୀ ବ୍ରିଟେନ୍‌ରେ ମୋଟ୍‌ ମୃତ୍ୟୁସଂଖ୍ୟା ୩୨ହଜାର ୬୫ ରହିଛି। ବିଶ୍ବବ୍ୟାପୀ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୪୨ଲକ୍ଷ ୭୪ ହଜାର ୬୬୭ ଥିବାବେଳେ ୨ଲକ୍ଷ ୮୭ହଜାର ୬୭୦ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର ଆମେରିକା‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୩ ଲକ୍ଷ୯୫ ହଜାର ୮୯୩ ରହିଛି ଏବଂ ୮୧ହଜାର ୭୯୬ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୬୮ହଜାର ୧୪୩ ଥିବାବେଳେ ୨୬ହଜାର ୭୪୪ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୩୨ ହଜାର ୨୪୩ ରହିଛି ଏବଂ ମୃତ୍ୟୁସଂଖ୍ୟା ୨ହଜାର୧୧୬ରେ ପହଞ୍ଚିଛି। ଇଟାଲିରେ ମୃତ୍ୟୁସଂଖ୍ୟା ୩୦ହଜାର ୭୩୯ ରହିଛି।

ସମ୍ବନ୍ଧିତ ଖବର