ଦେଶବ୍ୟାପୀ ଓମିକ୍ରନ ଭୟ : ୯ ରାଜ୍ୟରେ ଅଛନ୍ତି ସନ୍ଦିଗ୍ଧ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ର ୨ଟି ଓମିକ୍ରନ୍‌ ପ୍ରଜାତି ଗତକାଲି ଚିହ୍ନଟ ହୋଇଥିବା ବେଳେ ଏବେ ୯ଟି ରାଜ୍ୟରେ ଓମିକ୍ରନ ସନ୍ଦିଗ୍ଧ ଥିବା ଜଣାପଡ଼ିଛି। ଦେଶବ୍ୟାପୀ ଓମିକ୍ରନ୍‌କୁ ନେଇ ଭୟ ଦେଖିବାକୁ ମିଳିଛି ଏବଂ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାର ସତର୍କ ରହିଛନ୍ତି। ଆଗକୁ ଓମିକ୍ରନ୍‌ କ୍ଷୀପ୍ର ସଂକ୍ରମଣ ଘଟାଇବା ଆଶଙ୍କା ଥିବାରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ନୂଆ ଗାଇଡଲାଇନ୍‌ ପୂର୍ବରୁ ଜାରି ହୋଇସାରିଛି। ସପ୍ତାହକ ମଧ୍ୟରେ ଓମିକ୍ରନ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଆସିବାକୁ ଥିବାରୁ ଏହାପରେ ସରକାର ପୁଣି ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଆଣିବେ ବୋଲି ଜଣାପଡ଼ିଛି।

ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ୟୁପି, ଗୁଜରାଟ, ତେଲେଙ୍ଗାନା ଓ ରାଜସ୍ଥାନ ସରକାର ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ନିୟମାବଳି ଲାଗୁ କରିଛନ୍ତି। ଆଜି ଗୁଜରାଟ, ତେଲେଙ୍ଗାନାରେ ବିପଦପ୍ରବଣ ରାଷ୍ଟ୍ରରୁ ଫେରିଥିବା ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ବିଶେଷ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

୧୬ ହଜାର ବିଦେଶ ଫେରନ୍ତାଙ୍କ ଆର୍‌ଟିପିସିଆର ଟେଷ୍ଟ୍‌: ୧୮ ପଜିଟିଭ

ଓମିକ୍ରନ୍‌ ଭୟ ମଧ୍ୟରେ ଦେଶକୁ ବିପଦ ଥିବା ରାଷ୍ଟ୍ରମାନଙ୍କରୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୮ ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ୍‌ ଆସିଛି। ‌କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ସଂସଦରେ ଏହି ତଥ୍ୟ ରଖିଛନ୍ତି। ମାଣ୍ଡଭୀୟ କହିଛନ୍ତି, ବିପଦ ଥିବା ରାଷ୍ଟ୍ରମାନଙ୍କରୁ ଆସିଥିବା ୧୬ ହଜାର ଯାତ୍ରୀଙ୍କର ଆର୍‌ଟିପିସିଆର ଟେଷ୍ଟ୍‌ କରାଯାଇଛି।

ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ରୋଗୀମାନଙ୍କର ନମୁନା‌ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ମହାମାରୀ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସରକାର ଯେ କୌଣସି ଭବିଷ୍ୟତ ଚ୍ୟାଲେଂଜର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ସଂକ୍ରମଣ ବୃଦ୍ଧିର ମୁକାବିଲା ପାଇଁ ସବୁ ରାଜ୍ୟ ପ୍ରସ୍ତୁତ ଅଛନ୍ତି ଏବଂ ସବୁ ରାଜ୍ୟ ନିକଟରେ ଯଥେଷ୍ଟ ଔଷଧ ମହଜୁଦ ଅଛି। ଶିଶୁମାନଙ୍କୁ ବୁଷ୍ଟର ଡୋଜ୍‌ ଦେବା ନେଇ ଆଲୋଚନା ଚାଲିଛି ଏବ ବୈଜ୍ଞାନିକଙ୍କୁ ବିଶ୍ବାସ କରିବାପାଇଁ ମାଣ୍ଡଭୀୟ ବିରୋଧୀ ଦଳ ନେତାମାନଙ୍କୁ ଅନୁରୋଧ କରିଛନ୍ତି।

ଡେଲ୍‌ଟା ବିରୋଧରେ ଗ୍ରହଣ ହୋଇଥିବା ପଦକ୍ଷେପ ଓମିକ୍ରନ୍‌ ପାଇଁ କାମ ଦେବ: ‘ହୁ’

କରୋନା ଡେଲ୍‌ଟା ପ୍ରଜାତିର ମୁକାବିଲା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ ହୋଇଥିଲା ତାହା ‘ଓମିକ୍ରନ୍‌’ ପ୍ରଜାତି ବିରୋଧରେ କାମ ଦେବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀମାନେ ଆଜି ଏହା ସ୍ପଷ୍ଟ କରିଛନ୍ତି। ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରର ‘ହୁ’ ଆଞ୍ଜଳିକ ନିର୍ଦ୍ଦେଶକ ଡାକ୍ତର ତାକେଶି କସାଇ କହିଛନ୍ତି, କିଛି ରାଷ୍ଟ୍ରରେ ସଂକ୍ରମଣ ମାଡ଼ୁଛି। କିନ୍ତୁ ଅନ୍ୟ କିଛି ରାଷ୍ଟ୍ରମାନଙ୍କରେ ସଂକ୍ରମଣ କମୁଛି। ସୀମାକୁ ନିୟନ୍ତ୍ରଣ କଲେ ଭାଇରସ୍‌କୁ ନିୟନ୍ତ୍ରଣ କରିହେବ। କିନ୍ତୁ ପ୍ରତି ରାଷ୍ଟ୍ର ଏବଂ ପ୍ରତି ସମ୍ପ୍ରଦାୟ ନୂଆ ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କସାଇ କହିଛନ୍ତି।

କରୋନାର ଅନ୍ୟ ପ୍ରଜାତି ତୁଳନାରେ ଓମିକ୍ରନ୍‌ ଅଧିକ ସଂକ୍ରାମକ। ଏହା ବାରମ୍ବାର ରୂପାନ୍ତରିତ ହେଉଥିବାରୁ ଚିନ୍ତା ବଢ଼ାଉଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଭାରତ, ସିଙ୍ଗାପୁର ଏବଂ ମଲେସିଆରେ ପ୍ରଥମ କରି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍‌ ଏବେ ୩୨ଟି ରାଷ୍ଟ୍ରକୁ ବ୍ୟାପିଲାଣି। ଗତକାଲି କର୍ଣ୍ଣାଟକରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛି। ଓମିକ୍ରନ୍‌ ପାଇଁ ଦେଶରେ କରୋନା କଟକଣା କଡ଼ାକଡ଼ି ହୋଇଛି। ଡିସେମ୍ବର ୧ ତାରିଖରେ ଦେଶରେ ନୂଆ ନିର୍ଦ୍ଦେଶାବଳି କାର୍ଯ୍ୟକାରୀ ହୋଇଛି।

ସମ୍ବନ୍ଧିତ ଖବର