କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ବଢିବାର ଆଶଙ୍କା ମଧ୍ୟରେ ବଡ଼ ଧରଣର ବିମାନ ଆକ୍ରମଣ ହେବାର ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିବା ପରେ ଆମେରିକା କିବ୍‌ସ୍ଥିତ ନିଜ ଦୂତାବାସକୁ ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କରିଛି। ଇଟାଲି ଓ ସ୍ପେନ୍‌ ମଧ୍ୟ କିବ୍‌ରେ ସେମାନଙ୍କ ଦୂତାବାସ ବନ୍ଦ କରିଦେଇଛନ୍ତି। ସତର୍କତା ଦୃଷ୍ଟିରୁ ଦୂତାବାସ ବନ୍ଦ ରହିବ ଏବଂ ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟର ଦୂତାବାସ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ଦୂତାବାସ ମଧ୍ୟ ୟୁକ୍ରେନରେ ଥିବା ଆମେରିକୀୟ ନାଗରିକମାନଙ୍କୁ ସମ୍ଭାବ୍ୟ ଏୟାର୍ ଷ୍ଟ୍ରାଇକ୍ ଆଲର୍ଟ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ରୁଷ୍‌ ଯେ କୌଣସି ମୁହୂର୍ତ୍ତରେ କିବ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିପାରେ ବୋଲି ଆମେରିକାର ଘୋଷଣାକୁ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆତଙ୍କ ଖେଳିଯାଇଛି। ବଡ଼ ଯୁଦ୍ଧ ଆଶଙ୍କାରେ ଲୋକେ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ମହଜୁଦ ରଖୁଛନ୍ତି। 

Advertisment

ଇଟାଲି, ସ୍ପେନ୍‌ ମଧ୍ୟ ଦୂତାବାସ ବନ୍ଦ କଲେ
ନାଗରିକଙ୍କୁ ସର୍ବାଧିକ ସତର୍କ ରହିବାକୁ ପରାମର୍ଶ

ଆମେରିକା ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ଅନୁମତି ପରେ ୟୁକ୍ରେନ୍, ଆମେରିକା ଦ୍ୱାରା ଯୋଗାଇ ଦିଆଯାଇଥିବା ଏଟିଏସିଏମ୍ଏସ୍ ଦୂରଗାମୀ କ୍ଷେପଣାସ୍ତ୍ରକୁ ରୁଷୀୟ ଅଞ୍ଚଳକୁ ନିକ୍ଷେପ କରିବାର ଗୋଟିଏ ଦିନ ପରେ ଏହି ଚେତାବନୀ ଦିଆଯାଇଛି। ଯୁଦ୍ଧର ୧୦୦୦ତମ ଦିନରେ ୟୁକ୍ରେନ ଦୀର୍ଘ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ନିକ୍ଷେପ କରି ରୁଷ୍‌କୁ ଡରାଇବାକୁ ପ୍ରୟାସ କରିଥିବା ବେଳେ ଏହା ଅତି ଘାତକ ସାବ୍ୟସ୍ତ ହେବ ବୋଲି ଯୁଦ୍ଧନୀତି ବିଶେଷଜ୍ଞମାନେ କହିଛନ୍ତି। ଏହି କ୍ଷେପଣାସ୍ତ୍ର ଆକ୍ରମଣ ପରେ ଉପଯୁକ୍ତ ଜବାବ ଦେବାକୁ ରୁଷ୍ ଧମକ ଦେଇଛି। ଗତ ଅକ୍ଟୋବର ମାସରେ ପାଶ୍ଚାତ୍ୟ ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଥିବା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ନିଜର ପରମାଣୁ ଅସ୍ତ୍ର ପ୍ରୟୋଗ ନୀତିରେ ପରିବର୍ତ୍ତନ କରିଛନ୍ତି। ରୁଷ୍ ବାରମ୍ବାର ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇ ଆସୁଛି ଯେ ୟୁକ୍ରେନକୁ ରୁଷ୍ ସୀମା ଭିତରେ ଥିବା ଟାର୍ଗେଟକୁ ଆକ୍ରମଣ କରିବାରେ ସକ୍ଷମ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇ ଦିଅନ୍ତୁ ନାହିଁ। ଏଭଳି କାର୍ଯ୍ୟାନୁଷ୍ଠାନ ରୁଷ୍‌କୁ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ସମେତ ନାଟୋ ସଦସ୍ୟମାନଙ୍କୁ ଯୁଦ୍ଧରେ ପ୍ରତ୍ୟକ୍ଷ ଅଂଶୀଦାର ଭାବରେ ବିଚାର କରିବାକୁ ବାଧ୍ୟ କରିପାରେ ବୋଲି ମସ୍କୋ ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ଆସନ୍ତା ବର୍ଷ ଜାନୁଆରିରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍‌କୁ ଫେରିବା ପୂର୍ବରୁ ଦେଶର ଯୁଦ୍ଧ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ବାଇଡେନ ୟୁକ୍ରେନ୍‌କୁ ଆଣ୍ଟି-ପର୍ସନାଲ ଲ୍ୟାଣ୍ଡମାଇନ୍ ଦେବାକୁ ରାଜି ହୋଇଛନ୍ତି। ବାଇଡେନ୍ ପ୍ରଶାସନ ରୁଷ୍‌ର ଯୁଦ୍ଧ ଅଗ୍ରଗତିକୁ ନେଇ ଗଭୀର ଚିନ୍ତିତ। ଦୀର୍ଘ ଦୂରତା ବିଶିଷ୍ଟ ଏଟିଏସିଏମ୍‌ଏସ୍‌ କ୍ଷେପଣାସ୍ତ୍ର ଦ୍ବାରା ଋଷୀୟ ଅଞ୍ଚଳରେ ଆକ୍ରମଣ କରିବା ପାଇଁ କିବ୍‌କୁ ଅଧିକ ଶକ୍ତି ପ୍ରଦାନ କରୁଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍ ବ୍ୟବସ୍ଥା ରୁଷୀୟ ଭୂମି ଆକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଜଣାପଡ଼ିଛି।