ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାକୁ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଏ ବାବଦରେ ବୈଠକ କରିଛନ୍ତି। ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ କରୋନା ମହାମାରୀର ବିପଦ ଏଯାବତ ଟଳିନାହିଁ। ତେବେ ଅନ୍ୟ ରାଷ୍ଟ୍ରମାନଙ୍କ ଅପେକ୍ଷା ଭାରତ ଏବେ ଭଲ ସ୍ଥିତିରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକାକରଣ ପ୍ରକ୍ରିୟାରେ ଯୋଗ୍ୟ ଶିଶୁଙ୍କୁ ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଉପରେ ସରକାର ଏବେ ଗୁରୁତ୍ବାରୋପ କରୁଛନ୍ତି। ଏଥିପାଇଁ ସ୍କୁଲ୍ମାନଙ୍କରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନିକଟରେ କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ପ୍ରସଙ୍ଗରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟମାନେ ଏଥିପାଇଁ ସତର୍କ ରହିବାକୁ ପଡ଼ିବ ଏବଂ ସୁରକ୍ଷା ନିୟମଗୁଡ଼ିକୁ ପାଳନ କରିବାକୁ ହେବ।
ଭାରତର ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ଲଗାତାର ଭାବେ ଜାତୀୟ ଏବଂ ବୈଶ୍ବିକ କୋଭିଡ୍ ସ୍ଥିତିକୁ ଯାଞ୍ଚ କରୁଛନ୍ତି। ସେମାନଙ୍କ ସୁପାରିସକ୍ରମେ ଆମକୁ କାମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମର ରଣନୀତି ତଥା ଟେଷ୍ଟ୍, ଟ୍ରାକ୍ ଏବଂ ଟ୍ରିଟ୍କୁ କିଭଳି ପାରିଦର୍ଶିତାର କାର୍ଯ୍ୟକାରୀ କରିବାକୁ ହେବ ସେଦିଗରେ ଧ୍ୟାନ ଦେବାକୁ ପଡ଼ିବ। ବର୍ତ୍ତମାନ ଲାଗି ରହିଥିବା ସ୍ଥିତିରେ ଯଦି କୌଣସି ବ୍ୟକ୍ତି ଥଣ୍ଡା ଜ୍ଜରରେ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବେ ତେବେ ତାଙ୍କର ଶତ ପ୍ରତିଶତ ଆର୍ଟିପିସିଆର୍ ଟେଷ୍ଟ୍ କରାଇବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ ବିରୋଧରେ ସବୁଠାରୁ ବଡ଼ ସୁରକ୍ଷା ହେଉଛି କରୋନା ଟିକା। ଅଭିଭାବକ ଏବଂ ପିଲାମାନଙ୍କ ମଧ୍ୟରେ ଏ ନେଇ ସଚେତତନା ଗୁରୁତ୍ବପୂର୍ଣ୍ଣ। ମେଡିକାଲ କଲେଜ ଏବଂ ଜିଲ୍ଲା ହସ୍ପିଟାଲ୍ରେ ଭିତ୍ତିଭୂମି ସୁଦୃଢ଼ କରିବାକୁ ହେବ । ଏବେ ଅନେକ ବୈଶ୍ବିକ ସଙ୍କଟ ଆସିଛି ଏବଂ ଭାରତକୁ ନୂଆ ନୂଆ ଚ୍ୟାଲେଂଜ୍ର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ କେନ୍ଦ୍ର-ରାଜ୍ୟ ତାଳମେଳ ରକ୍ଷା କରି କାମ କରିବା ଅନିବାର୍ଯ୍ୟ ହୋଇପଡ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦୈନିକ ସଂକ୍ରମଣ ୩ ହଜାର ମୁହାଁ, କେରଳରେ ମାସ୍କ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୩ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୨,୯୨୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୬୫,୪୯୬ ଏବଂ ମୋଟ୍ ମୃତ୍ୟୁସଂଖ୍ୟା ୫, ୨୩,୬୫୪ ରହିଛି। ଆଜି ସକ୍ରିୟ ମାମଲା ୧୬,୨୭୯ ରହିଥିବା ବେଳେ ଏହା ମୋଟ୍ ସଂକ୍ରମଣ ମାମଲାର ୦.୦୪ ପ୍ରତିଶତ । ଦେଶରେ ଦୈନିକ ପଜିଟିଭ୍ ହାର ୦.୫୮ ପ୍ରତିଶତ ରହିଛି।। ଗତ ୨୪ ଘଣ୍ଟାରେ ଦେଶରେ ସକ୍ରିୟ ମାମଲାରେ ଅଧିକ ୪୪୪ଟି ଯୋଡ଼ି ହୋଇଛି। ଗତ ୨୪ ଘଣ୍ଟାରେ ହୋଇଥିବା ୩୨ କରୋନା ମୃତ୍ୟୁରୁ କେରଳରେ ସର୍ବାଧିକ ୨୬, ମହାରାଷ୍ଟ୍ରରେ ୪ ଏବଂ ଦିଲ୍ଲୀ, ମିଜୋରାମରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ଟିକାକରଣ ୧୯୯.୧୯ କୋଟିରେ ପହଞ୍ଚିଛି। କେରଳ ସରକାର ରାଜ୍ୟରେ ମାସ୍କ ବାଧ୍ୟତାମୁଳକ କରିଛନ୍ତି। ପୂର୍ବରୁ ଦିଲ୍ଲୀ, ପଂଜାବ, ତାମିଲନାଡ଼ୁ ସରକାର ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରିଥିଲେ।