ସୁ ସୁ ହୋଇ ପବନ ବୋହୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ବିମାନ, ରନୱେରେ ଘଟିଲା ଏଭଳି ଘଟଣା

ଭିଡ଼ିଓରେ ଦେଖନ୍ତୁ ପୁରା ଦୃଶ୍ୟ

ମୁମ୍ବାଇ: ବାତ୍ୟା ‘ନିସର୍ଗ’ ଲାଣ୍ଡଫଲ କରିବା ପରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି | ବର୍ଷା ହେତୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରନୱେରେ ପାଣି ପଶିଯିବାରୁ କିଛି ସମୟ ପାଇଁ ବିମାନ ଉଡ଼ାଣ ଓ ଅବତରଣକୁ ବନ୍ଦ ରଖାଯାଇଥିବା ବେଳେ ଏବେ ପୁଣି ବିମାନ ସେବା ଆରମ୍ଭ ହୋଇଛି | ତେବେ ବାତ୍ୟା ପରର ଅନେକ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ଏକ ବିମାନ ରନୱେ ବାହାରକୁ ଚାଲିଯିବାର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ବିମାନଟି ମାଲବାହୀ କମ୍ପାନୀ ଫେଡେକ୍ସର ଥିଲା ବୋଲି ଜଣା ପଡିଛି | ଜୋରରେ ପବନ ବୋହୁଥିବା ସହ ରନୱେରେ ପାଣି ଭରି ଯାଇଥିବାରୁ ବିମାନଟି ରନୱେ ବାହାରକୁ ଚାଲିଯାଇଥିଲା | ତେବେ ରନୱେ ବାହାରକୁ ଚାଲିଯାଇଥିଲେ ମଧ୍ୟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇନଥିବା ଜଣା ପଡିଛି |

ସୂଚନା ଅନୁଯାୟୀ, ବିମାନଟି ମାଲବାହୀ କମ୍ପାନୀ ଫେଡେକ୍ସର ଥିଲା | ବେଙ୍ଗାଳୁରୁରୁ ମୁମ୍ବାଇ ଆସିଥିବା ଏହି ବିମାନ ଅବତରଣ କରିବା ପରେ ପାଇଲଟ ରନୱେରେ ବିମାନକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ରନୱେରେ ପାଣି ଥିବାରୁ ବ୍ରେକ୍ ସଠିକ୍ ଭାବରେ କାମ ନକରିବା ସହ ବିମାନଟି ରନୱେ ବାହାରକୁ ଚାଲିଯାଇଥିଲା | ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଇଛି କି, ବିମାନଟି ଅବତରଣ କରି ଧୀରେ ଧୀରେ ଆଗକୁ ବଢୁଛି | ରନୱେରେ ପାଣି ଭରି ରହିଥିବା ବେଳେ କିଛି ବାଟ ବିମାନଟି ଆସିବା ପରେ ହଠାତ ରନୱେରୁ ଖସି ବୁଲିଯାଉଛି | ତେବେ ଏହି ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ବିମାନଟିକୁ ରନୱେରୁ ହଟାଇ ସନ୍ଧ୍ୟା ୬ଟାରେ ବିମାନବନ୍ଦର କାର୍ଯ୍ୟ ଆରମ୍ଭ କରାଯାଇଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର