ସିମଲା : ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଥିବାରୁ ସ୍ବାଧୀନ ପ୍ରାର୍ଥୀଙ୍କ ଗୁରୁତ୍ବ ବଢିଯାଇଛି । ଏବେଠାରୁ ଦୁଇ ଜାତୀୟ ଦଳ ବିଜୟ ସମ୍ଭାବନା ଥିବା ସ୍ବାଧୀନ ପ୍ରାର୍ଥୀମାନଙ୍କୁ ନିଜପଟକୁ ଆକର୍ଷିତ କରିବା ଆରମ୍ଭ କରିଦେଇଛନ୍ତି । କାରଣ ଯଦି ଏକଜିଟ୍ ପୋଲ ପୂର୍ବାନୁମାନ ସତ ପ୍ରମାଣିତ ହୁଏ, ତେବେ ସରକାର ଗଠନ ପାଇଁ ଏହି ସ୍ବାଧୀନ ପ୍ରାର୍ଥୀଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିବ ।

Advertisment

ନିର୍ବାଚନ ଲଢିଥିବା କେତେକ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଜିତିବେ ବୋଲି ପୂର୍ବାନୁମାନ କରାଯାଉଛି । ସେମାନଙ୍କ ମଧ୍ୟରୁ କେତେକ ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ଅଛନ୍ତି । ଜିତିବାର ସମ୍ଭାବନା ଥିବା ସ୍ବାଧୀନ ପ୍ରାର୍ଥୀ ହେଲେ କେଏଲ ଠାକୁର, ରାମ ସିଂ, ମନୋହର ଧିମାନ,ରାଜୁ, ହୋସିଆର ସିଂ,ଇନ୍ଦୁ ବର୍ମା ଓ ସଂଜୟ ପରାସର । ଉଭୟ କଂଗ୍ରେସ ଓ ବିଜେପି ଏସବୁ ପ୍ରାର୍ଥୀମାନଙ୍କ ଯୋଗାଯୋଗରେ ଅଛନ୍ତି ।

ହିମାଚଳ ପ୍ରଦେଶରେ ମୋଟ ୬୮ଟି ଆସନ ଥିବାବେଳେ ସରକାର ଗଢିବାକୁ ଅକିକମରେ ୩୫ଟି ଆସନ ଆବଶ୍ୟକ ।

ଗତକାଲି ପ୍ରକାଶିତ ରିପବ୍ଲିକର ଏକଜିଟ ପୋଲ ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶରେ ବିଜେପିକୁ ୩୪ର ୩୯ଟି ଓ କଂଗ୍ରେସକୁ ୨୮ରୁ ୩୩ଟି ଆସନ ମିଳିବାର ସମ୍ଭାବନା ରହିଛି । ଇଣ୍ଡିଆ ଟିଭିର ରିପୋର୍ଟ ଅନୁସାରେ ବିଜେପିକୁ ୩୫ରୁ ୪୦ଟି ଓ କଂଗ୍ରେସକୁ ୨୬ରୁ ୨୧ଟି ଆସନ ମିଳିବାର ସମ୍ଭାବନା ରହିଛି । ଆଜକତ୍ ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପିକୁ ୨୪ରୁ ୩୪ଟି ଓ କଂଗ୍ରେସକୁ ୩୦ରୁ ୪୦ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଜି ନ୍ୟୁଜର ରିପୋର୍ଟ ଅନୁସାରେ ହିମାଚଳରେ ବିଜେପିକୁ  ୪୪ଟି ଓ କଂଗ୍ରେସକୁ ୨୧ଟି  ଆସନ ମିଳିବାର ସମ୍ଭାବନା ରହିଛି । ଟୁଡେଜ୍ ଚାଣକ୍ୟର ପୂର୍ବାନୁମାନ ଅନୁସାରେ ଉଭୟ ବିଜେପି ଓ କଂଗ୍ରେସ ୩୩ଟି ଲେଖାଏଁ ଆସନ ପାଇବେ ।