ୱାସିଂଟନ: ଚଳିତ ଆକ୍ସମ୍-୪ ଅଭିଯାନର ନେତୃତ୍ୱ ନେଉଥିବା ଆମେରିକୀୟ ମହିଳା ମହାକାଶଚାରୀ ୬୫ ବର୍ଷୀୟା ପେଗି ହ୍ୱିଟସନ ଏପର୍ଯ୍ୟନ୍ତ ମହାକାଶରେ ମୋଟ ୬୭୫ ଦିନ ବିତାଇ ସାରିଛନ୍ତି। ଦୀର୍ଘ ୨୩ ବର୍ଷ ଭିତରେ ମହାକାଶରେ ୬୭୫ ଦିନ ବିତାଇଥିବା ହ୍ବିଟସନ ଫ୍ଲୋରିଡାରୁ ସ୍ପେସ୍ଏକ୍ସ ଫାଲକନ୍ ୯ ରକେଟ୍ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଦୁଇ ସପ୍ତାହ ରହିବା ପାଇଁ ଉଡ଼ାଣ ଭରିବାକୁ ଯାଉଛନ୍ତି। ଏହି ଅଭିଯାନରେ ତାଙ୍କ ସହ ସାମିଲ ଅଛନ୍ତି ଭାରତର ଶୁଭାଂଶୁ ଶୁକ୍ଳା।
ଜଣେ ଆମେରିକୀୟ ମହାକାଶଚାରୀ ଏବଂ ବିଶ୍ୱର କୌଣସି ମହିଳା ମହାକାଶଚାରୀଙ୍କ ଦ୍ୱାରା ମହାକାଶରେ ସର୍ବାଧିକ ସମୟ ବିତାଇବାର ରେକର୍ଡ ପେଗି ହ୍ୱିଟସନଙ୍କ ନାମରେ ରହିଛି। ଭାରତୀୟ-ଆମେରିକୀୟ ସୁନୀତା ୱିଲିୟମ୍ସ ମହାକାଶରେ ୬୦୮ ଦିନ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୧୯୬୦ ମସିହା ଫେବ୍ରୁଆରି ୯ ତାରିଖରେ ଆଇୱାର ମାଉଣ୍ଟ ଆୟରରେ ଜନ୍ମଗ୍ରହଣ କରିଥିବା ପେଗି ହ୍ୱିଟସନଙ୍କ ସହର ହେଉଛି ବେକନ୍ସଫିଲ୍ଡ, ଆଇଓୱା, ଯାହାର ଜନସଂଖ୍ୟା ୨୦ରୁ କମ୍। ନିଜ ପିଲାଦିନକୁ ମନେ ପକାଇ ହ୍ୱିଟସନ କହିଛନ୍ତି, ମୋ ପିତାମାତା ହେଉଛନ୍ତି କଠିନ ପରିଶ୍ରମୀ, ସେମାନେ ମୋତେ ପରିଶ୍ରମ କରିବା ଶିଖାଇଛନ୍ତି।
୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ନାସାର ଜନସନ ସ୍ପେସ୍ ସେଣ୍ଟରରେ ବିଭିନ୍ନ ପଦବିରେ କାର୍ଯ୍ୟ କରିଥିଲେ ହ୍ୱିଟସନ। ଏପ୍ରିଲ ୧୯୯୬ରେ ସେ ମହାକାଶଚାରୀ ଭାବେ ମନୋନୀତ ହୋଇ ସେହିବର୍ଷ ଅଗଷ୍ଟରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ୨୦୦୨ରେ ତାଙ୍କର ପ୍ରଥମ ମହାକାଶ ଯାତ୍ରା ହୋଇଥିଲା। ନାସାରେ କାମ କରିବା ସମୟରେ ହ୍ୱିଟସନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଦୁଇଟି ଛଅ ମାସର ଅଭିଯାନ ସହ ପାଖାପାଖି ଏକ ବର୍ଷର ଅଭିଯାନ ଶେଷ କରିଛନ୍ତି। ୨୦୧୮ରେ ହ୍ୱିଟସନ ନାସାରୁ ଅବସର ନେଇ ଆମେରିକୀୟ ଘରୋଇ ସଂସ୍ଥା ଆକ୍ସମ୍ ସ୍ପେସ୍ରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ବର୍ତ୍ତମାନ ମାନବ ମହାକାଶ ଯାତ୍ରାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ହ୍ୱିଟସନ ଆକ୍ସମ୍-୨ ଘରୋଇ ମହାକାଶ ଯାତ୍ରା ଅଭିଯାନର ନେତୃତ୍ୱ ମଧ୍ୟ ନେଇଥିଲେ। ହ୍ୱିଟସନଙ୍କ ମହାକାଶ ଓ ବିଜ୍ଞାନ ଅଭିଜ୍ଞତା ୩୭ ବର୍ଷରୁ ଅଧିକ। ସେ ମହାକାଶ ଷ୍ଟେସନରେ ତାଙ୍କର ପୂର୍ବ ତିନୋଟି ମହାକାଶ ଅଭିଯାନ ସମୟରେ ୬୦ ଘଣ୍ଟାରୁ ଅଧିକ ସମୟ ଧରି ୧୦ଟି ସ୍ପେସ୍ ୱାକ୍ କରିଥିଲେ। ହ୍ୱିଟସନଙ୍କ କ୍ୟାରିୟରରେ ସେ ଜୀବବିଜ୍ଞାନ, ବାୟୋଟେକ୍ନୋଲୋଜି, ଭୌତିକ ବିଜ୍ଞାନ ଓ ପୃଥିବୀ ବିଜ୍ଞାନରେ ଶତାଧିକ ପରୀକ୍ଷଣରେ ଯୋଗଦାନ ଦେଇଛନ୍ତି। ସ୍ପେସ୍ ଷ୍ଟେସନକୁ ହ୍ୱିଟସନ ତାଙ୍କର ପଞ୍ଚମ ଅଭିଯାନ ଏବଂ ଦ୍ବିତୀୟ ବାଣିଜ୍ୟିକ ଅଭିଯାନର ନେତୃତ୍ୱ ନେଉଛନ୍ତି। ଆକ୍ସମ୍-୪ ମିସନ ଶେଷ ହେବା ବେଳକୁ ସେ ମହାକାଶରେ ସମୁଦାୟ ୬୯୦ ଦିନ ବିତାଇ ସାରିଥିବେ।
ଆକ୍ସମ୍-୪ର ନେତୃତ୍ବ ନେବେ ମହିଳା ମହାକାଶଚାରୀ ପେଗି ହ୍ୱିଟସନ
ଚଳିତ ଆକ୍ସମ୍-୪ ଅଭିଯାନର ନେତୃତ୍ୱ ନେଉଥିବା ଆମେରିକୀୟ ମହିଳା ମହାକାଶଚାରୀ ୬୫ ବର୍ଷୀୟା ପେଗି ହ୍ୱିଟସନ ଏପର୍ଯ୍ୟନ୍ତ ମହାକାଶରେ ମୋଟ ୬୭୫ ଦିନ ବିତାଇ ସାରିଛନ୍ତି। ଦୀର୍ଘ ୨୩ ବର୍ଷ ଭିତରେ ମହାକାଶରେ ୬୭୫ ଦିନ ବିତାଇଥିବା ହ୍ବିଟସନ...
/sambad/media/media_files/2025/06/10/4ns9tfP1vjE54LyMIjaE.jpg)