ନାମ୍ବିଆରୁ ଭାରତ ଆସିଥିବା ୮ ଚିତା ମଧ୍ୟରୁ ଗୋଟିକର ମୃତ୍ୟୁ, ହୋଇଥିଲା କିଡନୀ ସଂକ୍ରମଣ

ନୂଆଦିଲ୍ଲୀ : ଗତ ବର୍ଷ ଆଫ୍ରିକୀୟ ଦେଶ ନାମ୍ବିଆରୁ ଅଣାଯାଇଥିବା ୮ଟି ଚିତାଙ୍କ ମଧ୍ୟରୁ ଜଣକର ହେଲା ମୃତ୍ୟୁ। ୮ଟି ଚିତା ଭାରତ ଆସିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତାଙ୍କୁ ଜଙ୍ଗଲରେ ଛାଡ଼ିଥିଲେ । ହେଲେ ଆସିବାର କିଛି ମାସ ପରେ ଶାଶା ନାମକ ମାଈ ଚିତା କିଡନୀ ସଂକ୍ରମଣର ଶିକାର ହୋଇଥିଲା। କିଛି ଦିନ ଧରି ସେ ମୃତ୍ୟୁ ସହ ଲଢ଼େଇ କରୁଥିବା ବେଳେ ଏବେ ସେ ହାରିଯାଇଛି।

ମିଳିଥିବା ସୂଚନା ମୁତାବକ, ଜାନୁଆରି ‌୨୨‌, ୨୦୨୩ରେ ଶାଶା କିଡନୀ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଥିଲା। କୁହାଯାଉଛି ଯେ, ଭାରତ ଆସିବା ପୂର୍ବରୁ ସେ କିଡନୀ ରୋଗରେ ପୀଡିତ ଥିଲା ଏବଂ ନାମ୍ବିଆରେ ଶାଶାର ଅପରେସନ୍ ହୋଇଥିଲେ ବି ଭାରତକୁ ଏହି ତଥ୍ୟ ଦିଆଯାଇନଥିଲା।

ଗତ ବର୍ଷ ସେପ୍ଟେମ୍ବର ୧୭ ରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଦିନରେ ନାମ୍ବିଆରୁ ଭାରତକୁ ଅଣାଯାଇଥିବା ୮ ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନର ଛାଡ଼ିଥିଲେ । ନଭେମ୍ବର ୨୮ ରେ, ତିନୋଟି ମାଈ ଚିତା ସିୟାୟା, ସାଭାନା ଏବଂ ଶାଶାଙ୍କୁ ଏକ ଛୋଟ ଏନକ୍ଲୋଜରରୁ କୁନୋ ଜାତୀୟ ଉଦ୍ୟାନର ଏକ ବଡ଼ ଏନକ୍ଲୋଜର କମ୍ପାର୍ଟମେଣ୍ଟକୁ ଛଡ଼ାଯାଇଥିଲା । ବଡ଼ ଏନକ୍ଲୋଜର କମ୍ପାର୍ଟମେଣ୍ଟକୁ ଯିବା ପରେ ଶାଶାର କିଡନୀଜନିତ ସମସ୍ୟା ବିଷୟ‌ରେ ଜାଣିବାକୁ ପାଇଥିଲେ କୁନୋ ଜାତୀୟ ଉଦ୍ୟାନ ପରିଚାଳନା ଅଧିକାରୀ। ଶାଶା ଖାଦ୍ୟ ଖାଉନଥିବାରୁ ତା’ର ଯାଞ୍ଚ କରାଯିବା ପରେ ସମସ୍ୟା ଜଣାପଡ଼ିଥିଲା। ଏହା ପରେ ତାକୁ ବଡ଼ ଏନକ୍ଲୋଜରରୁ ଛୋଟ ଏନକ୍ଲୋଜରକୁ ଅଣାଯାଇଥିଲା। ସେବେଠାରୁ ତା’ର ଚିକିତ୍ସା ଚାଲିଥିବା ବେଳେ ଏବେ ଜୀବନ ଯୁଦ୍ଧରେ ହାରି ଯାଇଛି ଶାଶା।

ସମ୍ବନ୍ଧିତ ଖବର