ବିମାନର ଜରୁରିକାଳୀନ କବାଟ ବାଟେ ତଳକୁ ଡେଇଁ ମହିଳା ଆଟେଣ୍ଡାଣ୍ଟ ଗୁରୁତର

ଏଣ୍ଟେବି (ଉଗାଣ୍ଡା): ଉଗାଣ୍ଡାର ଏଣ୍ଟେବି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ଏକ ଅଘଟଣ ଘଟି ଯାଇଛି। ଏଣ୍ଟେବିରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ଏମିରେଟ୍‌ ଏୟାରଲାଇନସ୍‌ର ଏକ ବୋଇଂ ୭୭୭ ବିମାନର ଜରୁରିକାଳୀନ କବାଟ ଖୋଲି ଜନୈକା ମହିଳା ବିମାନ ଆଟେଣ୍ଡାଣ୍ଟ ତଳକୁ ଡେଇଁ ପଡ଼ିବା ଫଳରେ ଗୁରୁତର ଭାବେ ଆହତ ହୋଇଛନ୍ତି। ସଂପୃକ୍ତା ମହିଳା ବିମାନ ଆଟେଣ୍ଡାଣ୍ଟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ କେନ୍ଦ୍ରକରି ସଂପୃକ୍ତ ବିମାନର ଉଡ଼ାଣରେ ଦୁଇ ଘଣ୍ଟାର ବିଳମ୍ବ ଘଟିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବୁଧବାର ଅପରାହ୍ନରେ ଉଗାଣ୍ଡାର ଏଣ୍ଟେବି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏମିରେଟର ଏୟାରଲାଇନସ୍‌ର ଏକ ବୋଇଂ ୭୭୭ ବିମାନ ଦୁବାଇ ଅଭିମୁଖେ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ଏହି ସମୟରେ ବିମାନର ଜରୁରିକାଳୀନ କବାଟ ନିକଟରେ ଦୁଇଜଣ ମହିଳା ଆଟେଣ୍ଡାଣ୍ଟ ଠିଆହୋଇ କଥାବାର୍ତ୍ତା ହେଉଥିଲେ। ଏମାନଙ୍କ ମଧ୍ୟରୁ ଜଣେ ମହିଳା ଆଟେଣ୍ଡାଣ୍ଟ ହାତରେ ଏକ କାଚ ବୋତଲ ଧରିଥିଲେ। ତେବେ, ହାତରେ କାଚ ବୋତଲ ଧରିଥିବା ମହିଳା ଆଟେଣ୍ଡାଣ୍ଟ ଜଣକ ବିମାନର ଜରୁରିକାଳୀନ କବାଟ ଖୋଲି ତଳକୁ ଡେଇଁ ପଡ଼ିଥିଲେ। ବିମାନରୁ ଡେଇଁ ତଳେ ପଡ଼ିବା ପରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଏଥିସହ ସେ ହାତରେ ଧରିଥିବା କାଚ ବୋତଲଟି ଭାଙ୍ଗି ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପଶି ଯାଇଥିଲା। ଏ ଘଟଣା ଦେଖିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଆହତ ମହିଳା ବିମାନ ଆଟେଣ୍ଡାଣ୍ଟଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ।

ତେବେ, ମହିଳା ବିମାନ ଆଟେଣ୍ଡାଣ୍ଟ ଜଣକ କାହିଁକି ବିମାନରୁ ତଳକୁ ଡେଇଁଲେ ତାହାର କାରଣ କିଛି ଜଣା ପଡ଼ିନାହିଁ। ତେବେ, ସେହି ବିମାନରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନର ଜରୁରିକାଳୀନ କବାଟ ନିକଟରେ ଦୁଇଜଣ ମହିଳା ଆଟେଣ୍ଡାଣ୍ଟ ଠିଆହୋଇ କଥାବାର୍ତ୍ତା ହେଉଥିଲେ। ପରେ ଏମାନଙ୍କ ମଧ୍ୟରେ କୌଣସି କାରଣକୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ, ହାତରେ କାଚ ବୋତଲ ଧରିଥିବା ମହିଳା ଆଟେଣ୍ଡାଣ୍ଟ ଜଣକ ବିମାନର ଜରୁରିକାଳୀନ କବାଟ ଖୋଲି ତଳକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧିତ ଖବର